Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେଲା ମୋହନ ସରକାର, ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ମୋହନ ମାଝୀ, ଡେପୁଟି ସିଏମ ଭାବେ କନକ ଓ ପ୍ରଭାତୀ ନେଲେ ଶପଥ

ଭୁବନେଶ୍ଵର: ମୁଁ ମୋହନ ଚରଣ ମାଝୀ…। ଦୀର୍ଘ ୨୪ ବର୍ଷର ନବୀନ ପଟ୍ଟନାୟକ ସରକାରର ଅବସାନ ପରେ ଆଜିଠୁ ଓଡିଶାରେ ଆରମ୍ଭ ହୋଇଛି ମୋହନ  ଯୁଗ। ଜନତା ମଇଦାନରେ ଆଜି ଆୟୋଜିତ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ଏହା ସହିତ ସେ ହୋଇଛନ୍ତି ଓଡିଶାର ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ। ରାଜ୍ୟପାଳ ରଘୁବର ଦାସ ମୋହନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପଦରେ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୮ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥ ପାଠ କରାଉଛନ୍ତି।

ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ସମେତ ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଅଶ୍ଵିନୀ ବୈଷ୍ଣବଙ୍କ ସମେତ ଅନେକ ବରିଷ୍ଠ କେନ୍ଦ୍ରୀୟ ନେତା ଯୋଗ ଦେଇଛନ୍ତି। ସବୁଠୁ ବଡ ଆକର୍ଷଣ କେନ୍ଦ୍ର ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ଶାସିତ ନଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥା ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ, ଆସାମର ହିମନ୍ତ ବିଶ୍ଵଶର୍ମା, ଛତିଶଗଡ଼ର ବିଷ୍ଣୁଦେବ ସାଏ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଗୋଆର ପ୍ରମୋଦ ସାଓ୍ଵନ୍ତ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସମାରୋହରେ ସାମିଲ ହୋଇଛନ୍ତି। ସାଧୁ ସନ୍ଥ ମଧ୍ୟ ଯୋଗ ଦେଇ ଶପଥ ସମାରୋହ ଶୋଭା ବର୍ଦ୍ଧନ କରିଛନ୍ତି।

ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ (ବ୍ରଜରାଜନଗର), ରବି ନାରାୟଣ ନାୟକ (କୁଚିଣ୍ଡା), ନିତ୍ୟାନନ୍ଦ ଗଣ୍ଡ (ଉମରକୋଟ), କୃଷ୍ଣ ଚନ୍ଦ୍ର ପାତ୍ର (ଢେଙ୍କାନାଳ), ପୃଥ୍ୱୀରାଜ ହରିଚନ୍ଦନ (ଚିଲିକା), ମୁକେଶ ମହାଲଙ୍ଗ (ଲୋଇସିଂହା),ବିଭୂତି ଜେନା (ଗୋପାଳପୁର), ଡ.କୃଷ୍ଣ ଚନ୍ଦ୍ର ମହାପାତ୍ର (ମୋରଡ଼ା) ଶପଥ ନେବାକୁ ଯାଉଛନ୍ତି।

ସେହିପରି  ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ) ଭାବେ ଗଣେଶ ରାମ ସିଂଖୁଣ୍ଟିଆ (ଯଶୀପୁର), ପ୍ରଦୀପ ବଳସାମନ୍ତ (ସୁକିନ୍ଦା), ସମ୍ପଦ ସ୍ୱାଇଁ (ପାରାଦୀପ), ସୂରଜ ସୂର୍ଯ୍ୟବଂଶୀ (ଧାମନଗର), ଗୋକୁଳା ନନ୍ଦ ମଲ୍ଲିକ (ପୋଲସରା) ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ଅନେକ ମାନ୍ୟଗଣ ବ୍ୟକ୍ତିଙ୍କ ସହ ସାଧୁ ସନ୍ଥ ଏବଂ ୩୫ ହଜାରରୁ ଅଧିକ ଲୋକ ସାମିଲ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ