ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବା ସହ ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ଶାସନ । ୨୪ ବର୍ଷର ବିଜେଡି ସରକାରକୁ ପଦଚ୍ୟୁତ କରି ଓଡ଼ିଶା ଦଖଲ କରିଛି ବିଜେପି । ମୋହନଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛି । ଏଥିରେ କ୍ୟାବିନେଟ ମନ୍ତ୍ରୀ ଭାବେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁରେଶ ପୂଜାରୀ ଅଛନ୍ତି । ଶପଥ ନେବା ପରେ ସୁରେଶ କହିଛନ୍ତି, ‘ବିଜେପି ସରକାର ଓଡ଼ିଶାବାସୀଙ୍କୁ କେବେ ହେଲେ ନିରାଶ କରିବ ନାହିଁ । ଏ ସରକାର ଲୋକଙ୍କ କାମ କରିବାକୁ ଦିନରାତି ଏକ କରିଦେବ ।’
ଆଗକୁ ସୁରେଶ କହିଛନ୍ତି, ଆଜି ବସିବାକୁ ଯାଉଥିବା କ୍ୟାବିନେଟ୍ ପରେ ସବୁ କିଛି ଜଣାଇବୁ । ହେଲେ ଗୋଟିଏ କଥା ସତ ଯେ ବିଜେପି କେବେ ହେଲେ ଓଡ଼ିଶାବାସୀଙ୍କୁ ନିରାଶ କରିବନି । ଓଡ଼ିଶାର ଅସ୍ମିତା, ଅଭିମାନ ଓ ଓଡ଼ିଶାର ପରିଚୟ ଉପରେ ହେଉଥିବା କୋଠାରାଘାତ ଆଉ କରିବାକୁ ଦିଆଯିବନି । ଓଡ଼ିଶାକୁ ବିଶ୍ୱ ଦରବାରରେ ପହଞ୍ଚାଇବୁ । ଓଡ଼ିଶାକୁ ଏକ ସମୃଦ୍ଧଶାଳୀ ଓଡ଼ିଶାରେ ପରିଣତ କରାଇବୁ । ବିକଶିତ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଆତ୍ମନିର୍ଭର ଓଡ଼ିଶା, କ୍ଷୁଦାମୁକ୍ତ ଓଡ଼ିଶା, ବେକାରୀ ମୁକ୍ତ ଓଡ଼ିଶା ଗଠନ କରିବୁ । ଲୋକଙ୍କ ପାଇଁ ଏ ସରକାର ଦିନ ରାତି ଏକ କରିଦେବ ।’
ସେ ଆହୁରି କହିଛନ୍ତି, ବିଜେପି ପ୍ରତିଷ୍ଠା ହେବା ଦିନଠାରୁ ପ୍ରାୟ ୪୫ ବର୍ଷ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଶାସନ କ୍ଷମତାକୁ ଆସିଲୁ । ଆଉ ଲୋକଙ୍କ ଆଶୀର୍ବାଦ ପାଇଲୁ । ସେଥିପାଇଁ ଆଜି ଦିନଟି ହେଉଛି ଐତିହାସିକ ଦିନ । ଆଜିର ଏହି ଐତିହାସିକ ଦିନରେ ମୋ ପରି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେବାର ସୁଯୋଗ ପାଇଛି । ତାହା ପୁଣି ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ଓ ଅନେକ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ । ତେଣୁ ଇଏ ଅନୁଭୂତି ଜୀବନରେ ସବୁଦିନ ପାଇଁ ନିଆରା ହୋଇ ରହିବ ।
କେଉଁ ବିଭାଗ ମିଳିବ ପ୍ରଶ୍ନରେ ସୁରେଶ କହିଛନ୍ତି, କେଉଁ ବିଭାଗ ମିଳିବ, ତାହା ଉପରେ ମୋର କୌଣସି ମତଲବ ନାହିଁ । ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାରୁ ମୋ ପାଇଁ ଗୌରବର ବିଷୟ । ମୋ ପଛରେ କାମ କରୁଥିବା ହଜାର ହଜାର କର୍ମକର୍ତ୍ତାଙ୍କ ତପସ୍ୟା ବଳରେ ଆଜି ମୁଁ ଏ ସ୍ଥାନରେ ପହଞ୍ଚିଛି । ସେଥିପାଇଁ ଓଡ଼ିଶାବାସୀ ଓ ମୋ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଉଛି ।