ଝାରସୁଗୁଡା ୧୬/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ସୀମାନ୍ତ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ମଦଭାଟିରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଟଙ୍କା ପଇସା ଲୁଟି ନେଇଛନ୍ତି ଏବଂ ଦୁର୍ବୁତ୍ତ ମାନଙ୍କ ଆକ୍ରମଣରେ ତିନିଜଣ କର୍ମଚାରୀ ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଜିଲ୍ଲା ସାଇଣ୍ଟିଫିକ ଟିମ ଓ ସ୍ଥାନୀୟ ପୁଲିସ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହା ଯାଇଛି ।
ପୁଲିସର ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ ଭଳି କଣ୍ଡେଇକେଲା ଦେଶୀ ମଦଭାଟିର କର୍ମଚାରୀ ରାଜକୁମାର ଛାୱଡା,ବଦ୍ରିନାରାୟଣ ସା ଓ ଗୋବର୍ଦ୍ଧନ ପଧାନ ରାତିରେ ଖାଇସାରି ମଦଭାଟି ଭିତରେ ଶୋଇଥିବା ବେଳେ ରାତି ପ୍ରାୟ ସାଢ଼େ ବାରଟାରୁ ଗୋଟାଏ ମଧ୍ୟରେ ମୁହଁରେ ମୁଖା ପିନ୍ଧିଥିବା ୪ ଜଣ ଦୁର୍ବୁତ୍ତ ହଠାତ ଭାଟି ଭିରକୁ ପଶିଆସି କର୍ମଚାରୀ ମାନଙ୍କୁ ଉଠାଇବା ସହିତ ଟଙ୍କା ବାକ୍ସର ଚାବି ଦେବାକୁ କହିଥିଲେ । କିନ୍ତୁ କର୍ମଚାରୀ ମାନେ କିଛି ବୁଝିବା ଆଗରୁ ଦୁର୍ବୁତ୍ତ ମାନେ ବାଡ଼ିରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ରାଜକୁମାର ଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟ ଦୁଇ କର୍ମଚାରୀ ଆହତ ହୋଇଥିଲେ । ଏହା ପରେ ମଦଭାଟି ଭିତରେ ରହିଥିବା ଆଲମାରୀ ତଥା ବିଭିନ୍ନ ପ୍ରକାର ଆସବାପତ୍ରକୁ ଏଣେତେଣେ ଫୋଫାଡ଼ି ଦେବା ସହ ଟଙ୍କା କେଉଁଠି ଶୀଘ୍ର ବାହାର କରିବାକୁ କହିଥିଲେ । ଜୀବନ ଭୟରେ ଭାଟି କର୍ମଚାରୀ ମାନେ ସେମାନଙ୍କ ହାତକୁ ଟଙ୍କା ବାକ୍ପର ଚାବି ବଢ଼ାଇ ଦେଇଥିଲେ । ଉକ୍ତ ବାକ୍ସରେ ଥିବା ପ୍ରାୟ ୧ ଲକ୍ଷ ଟଙ୍କା ସେମାନେ ଚୋରି କରି ନେଇ ଯାଇଥିବା କଣ୍ଡେଇକେଲା ଫାଣ୍ଡି ଅଧିକାରୀ ସମରେନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଦୁର୍ବୁତ୍ତ ମାନେ ହିନ୍ଦୀ ଓ ଛତିଶଗଡ଼ି ଭାଷାରେ କଥାବାର୍ତ୍ତା ହେଉଥିଲେ । ତେଣୁ ସେମାନେ ଛତିଶଗଡ଼ ଅଞ୍ଚଳର ହୋଇଥିବା ଅନୁମାନ କରା ଯାଉଛି । ଏ ସମ୍ପର୍କରେ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉକି ଏହାର କିଛି ମାସ ପୂର୍ବରୁ କନକତୋରାରେ ମଧ୍ୟ ସଶସ୍ତ୍ର ଡକାୟତି ହୋଇଥିଲା ଏବଂ ଦୁର୍ବୁତ୍ତ ଙ୍କ ଛୁରା ମାଡ଼ରେ ଘର ମାଲିକ ଗୁରୁତର ଆହତ ହୋଇଥିଲେ । ରେଙ୍ଗାଲି ଥାନାର ସୀମାନ୍ତ ଅଞ୍ଚଳରେ ବାରମ୍ବାର ଏପରି ଘଟଣା ଘଟୁଥିବା ଯୋଗୁଁ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଲାଗୁ କରିବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି ।