ଝାରସୁଗୁଡା ୧୮/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିମପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିଖିଲାପାଲି ଗ୍ରାମର ଚାଷୀ ମାନଙ୍କ ଜମିକୁ ପାଣି ଯୋଗାଇବା ନିମନ୍ତେ ୨୦୨୨ ମସିହାରେ ଏକ ଉଠା ଜଳସେଚନ ପ୍ରକଳ୍ପ ମଞ୍ଜୁରୀ ପ୍ରାପ୍ତ ହୋଇ ୮୧ ଲକ୍ଷ ୭ ହଜାର ଟଙ୍କା ବ୍ୟୟ ଅଟକଳରେ ବଡକେଲୋ ନଦୀ କୂଳରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ମସିହାରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲା । ଚଳିତ ବର୍ଷ ପ୍ରଥମ କରି ଚିଖିଲାପାଲି ଗ୍ରାମର ୧୦ ଜଣ ଚାଷୀ ପରୀକ୍ଷା ମୂଳକ ଭାବେ ୨୨ ଏକର ଡାଲୁଆ ଧାନ ଚାଷ କରିଥିଲେ । କିନ୍ତୁ ଉକ୍ତ ପ୍ରକଳ୍ପରେ ବିଛା ଯାଇଥିବା ପାଇପ ଅତି ନିମ୍ମ ମାନର ହୋଇଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ପାଇପ ଫାଟି ଚାଷଜମିକୁ ଠିକ ଭାବେ ପାଣି ପହଞ୍ଚି ପାରୁନାହିଁ । ଯାହା ଫଳରେ ଚାଷୀ ମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି । ଉକ୍ତ ପ୍ରକଳ୍ପକୁ ପରିଚାଳନା କରୁଥିବା ଜୟ ବଜରଙ୍ଗ ବଳୀ ପାଣି ପଞ୍ଚାୟତର ସଭାପତି ଦେବଦତ୍ତ ନାଥ କହିଛନ୍ତି ଯେ ଚାଷୀ ମାନଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଳି ମନୋଭାବ ଯୋଗୁଁ କାର୍ଯ୍ୟକାରୀ ଠିକାସଂସ୍ଥା ନିଜ ଇଛାରେ ଅତି ନିମ୍ମ ମାନର ଆବଶ୍ୟକ ସାମଗ୍ରୀ ବ୍ୟବହାର କରୁଛନ୍ତି । ତେଣୁ ସ୍ଥାନୀୟ ଚାଷୀ ମାନଙ୍କ ମଧ୍ୟରେ ସଭାପତି ଶ୍ରୀ ନାଥଙ୍କ ସହିତ ତୋଷରାମ ପଟେଲ,ଟିକେଶ୍ୱର ପଟେଲ, ବିପିନ ନାଥ,ରାମଚନ୍ଦ୍ର ନାଥ ପ୍ରମୁଖ ଚାଷୀ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି ।