ଭୁବନେଶ୍ୱର: ଆଜି ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକଙ୍କ ଶପଥ ପାଠ କରାଉଛନ୍ତି । ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଓ ପ୍ରଭାତୀ ପରିଡା ।
ଏଥିସହ ବିଧାୟକ ଭାବେ ଶପଥ ନେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ସୂର୍ଯ୍ୟବଂଶୀ ସୂରଜ, ସୁରେଶ ପୂଜାରୀ । ଆଉ ବିଧାୟକ ଭାବେ ଶପଥ ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୧୦ଟାରୁ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ । ପ୍ରଥମ ଦିନରେ ସବୁ ବିଧାୟକଙ୍କ ଶପଥ ପାଠ ନ ସରିଲେ ପୁଣି ଆସନ୍ତାକାଲି ଅର୍ଥାତ ବୁଧବାର ସକାଳ ୧୦ଟାରୁ ଆରମ୍ଭ ହେବ । ଏହିପରି ଦୁଇ ଦିନ ଧରି ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଉତ୍ସବ ଚାଲିବ ।
ଜୁନ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ବୁଧବାର ନାମାଙ୍କନ ପତ୍ର ଦାଖଲ କରାଯିବ । ବାଚସ୍ପତି ଦୌଡରେ ଅଛନ୍ତି ବିଜେପିର ବରିଷ୍ଠ ବିଧାୟିକା ସୁରମା ପାଢୀ । ଏହି ସ୍ୱତନ୍ତ୍ର ଅଧିବେଶନ ସମୟରେ ୭୫ ପୁଲିସ ଅଧିକାରୀଙ୍କ ସହ ଆଠ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଏହାଛଡ଼ା ଆଣ୍ଟି ସାବୋଟେଜ୍ ଟିମ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି। ଲୋୟର ପିଏମଜିରେ କୌଣସି ଧାରଣା ହେବ ନାହିଁ।
ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, ପୁଲିସ କଣ୍ଟ୍ରୋଲ ରୁମ୍ ରହିଛି। ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟ ଟିମ୍ ଓ ବିଧାନସଭା ସୁରକ୍ଷା ସମ୍ପର୍କିତ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।