Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ସ୍ନାନ ଯାତ୍ରା, ଭୋର୍ ୪ଟାରୁ ପହଣ୍ଡି, ୨ଟା ୪୦ରେ ଶ୍ରୀଜିଉଙ୍କ ହାତୀବେଶ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୦୮ କଳସ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୂରତି। ଏଥିପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ମାସେ ଯାଏ ଦଇତାପତି ମାନେ ଶ୍ରୀଜିଉଙ୍କ ନୀତିକାନ୍ତି ସଂପନ୍ନ କରିବେ । ଏହା ସହିତ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।

ଆସନ୍ତାକାଲି ଭୋର୍ ୪ଟାରୁ ୬ଟା ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି କରାଯିବ। ଦିନ ୧୧ଟା ୨୦ରୁ ୧୨ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ସଂପନ୍ନ ହେବ। ଅପରାହ୍ନ ୨ଟା ୪୦ରେ ଶ୍ରୀଜିଉଙ୍କ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ପର‌୍ୟ୍ୟନ୍ତ ସାହାଣ ମେଲା ଦର୍ଶନ ରହିଛି। ମହାପ୍ରଭୁଙ୍କ ଶୃଙ୍ଖଳିତ ଗଜାନନ ବେଶ ଦର୍ଶନ ପାଇଁ ପ୍ରସ୍ତୁତି କରିଛି ପ୍ରଶାସନ।

ଏହାପରେ ରାତି ୧୦ଟା ୩୦ରୁ ଗୋଟାଏ ମଧ୍ୟରେ ବାହୁଡ଼ା ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଛି। ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମୁଦାୟ ୪ ଜଣ ଏସପି ରାଙ୍କର ଅଫିସର,୧୨ ଜଣ ଅତରିକ୍ତ ଏସପି,୨୨ଜଣ ଡିଏସପି,୨୯୦ ରୁ ଉର୍ଦ୍ଧ୍ୱ ସବ ଇନସପେକ୍ଟର, ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୁତୟନ ହେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ