Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଇତାନ ପୁଅ, ବାପା-ମାଆଙ୍କୁ ମାରି ପୋତି ଦେଲା

ବାଲେଶ୍ୱର: ଜମିବାଡ଼ି ବିବାଦରୁ ପୁଅ ପାଲଟିଗଲା ସଇତାନ। ସାମାନ୍ୟ ଟଙ୍କା ପାଇଁ ବୃଦ୍ଧ ବାପାମା’ଙ୍କୁ ମାରି ପୋତି ଦେଲା ନୃଶଂସ ପୁଅ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳାଖୋଳି କରି ବୃଦ୍ଧଙ୍କ ଶବ ଉଦ୍ଧାର କରିଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହର ପତ୍ତା ମିଳିନି। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଘଟିଛି।

ସୂଚନା ଅନୁଯାୟୀ, ମୃତକ ବୃଦ୍ଧ ଦମ୍ପତି ହେଲେ ୯୦ ବର୍ଷୀୟ ବୁଲେଇ ବେହେରା ଓ ତାଙ୍କ ପତ୍ନୀ ୭୫ ବର୍ଷୀୟା ଚମ୍ପା ବେହେରା । ୪ ଦିନ ହେଲା ବାପାମା’ଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ବୁଲେଇ ବେହେରାଙ୍କ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ରମେଶ ବେହେରାଙ୍କର ମଧ୍ୟ ଖୋଜଖବର ମିଳୁ ନ ଥିବାରୁ ଏପରି ନାରକୀୟ କାଣ୍ଡ ଘଟାଇ ଫେରାର ହୋଇ ଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି।

ଗତକାଲି ପୁଲିସ୍ ବୁଲେଇ ବେହେରାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ସ୍ଥାନରେ ଖୋଳା ଯାଇ ହଳ ବୁଲା ଯାଇଥିବା ଦେଖିବାକୁ ପାଇଥିଲା। ସେଠାରେ ମୃତଦେହ ପୋତା ଯାଇଥିବା ସନ୍ଦେହ ହେବାରୁ ଗତ ରାତିରେ ଉକ୍ତ ଜାଗାକୁ ପୁଲିସ୍ ଜଗି ରହିଥିଲା। ଆଜି ସକାଳେ ମାଜିଷ୍ଟ୍ରେଟ, ସିମୁଳିଆ ଆଇଆଇସି ଏବଂ ସାଇଣ୍ଟିଫିକ୍ ଟିମ୍‌ଙ୍କ ଉପସ୍ଥିତିରେ ଖୋଳାଖୋଳି ପରେ ମାଟି ତଳୁ ବୁଲେଇଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଏହାପରେ ଚମ୍ପାଙ୍କ ମୃତଦେହ ଉଦ୍ଧାର ପାଇଁ ବି ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି।

ପାଖରେ ଏକ ପୋଖରୀ ଥିବାରୁ ସେଠାରେ ବୃଦ୍ଧାଙ୍କ ମୃତଦେହ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେଣୁ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇ ସେଠାରେ ଖୋଜାଖୋଜି କରାଯିବ ବୋଲି ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରମେଶ ମଦ ଓ ଗଞ୍ଜେଇ ବେପାର କରୁଥିବା ବେଳେ ନିଜେ ବି ସବୁବେଳେ ନିଶାସକ୍ତ ରହୁଥିଲା। ଜମିଜମା ବିବାଦକୁ ନେଇ ରମେଶଙ୍କର ନିଜ ଭଉଣୀମାନଙ୍କ ସହ ସମ୍ପର୍କ ବିଗିଡ଼ି ଯାଇଥିଲା। ରମେଶ ସବୁବେଳେ ନିଶାସକ୍ତ ରହୁଥିବାରୁ ତାଙ୍କ ପତ୍ନୀ ଓ ପିଲାମାନେ ବି ପ୍ରାୟ ୧୭ ବର୍ଷ ହେବ ଘର ଛାଡ଼ି ଚାଲି ଯାଇଛନ୍ତି। ସେ ଏହି ନାରକୀୟ କାଣ୍ଡ ଘଟାଇ ଫେରାର ମାରିଥିବା କୁହାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ