ନିଜ ଗାଁ ରାଇକଳାକୁ ଆଜି ଯିବେ ମୁଖ୍ୟମନ୍ତ୍ରୀ, ଘରେ ଖାଇବେ ମଧ୍ୟାହ୍ନ ଭୋଜନ


କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ତାଙ୍କ ଗାଁ ରାଇକଳାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ସେ ନିଜ ଜନ୍ମମାଟିରେ ପାଦ ଥାପିବେ । ଘରେ ପହଞ୍ଚିବା ପରେ ମଧ୍ୟାହ୍ନ ଭୋଜନ କରିବେ । ପରେ ଗାଁ ଲୋକ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି କେନ୍ଦୁଝରରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା । କେନ୍ଦୁଝର ଖଣି ଲୁଟରେ ସେତେବେଳର ରାଜ୍ୟ ସରକାର ସମ୍ପୃକ୍ତ ଅଛନ୍ତି । ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େଇ ହୋଇଥିଲା କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି । ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ମୋ ନଜରରେ, କେହି ବର୍ତ୍ତିବେନି । ସମସ୍ତଙ୍କୁ ଜେଲ୍ ପଠାଇବୁ, କାହାକୁ ଛାଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଥିଲେ ।

ପୂର୍ବରୁ ବିରୋଧୀ ଦଳରେ ଥାଇ ଲଢ଼ୁଥିଲି । ଏଥିପାଇଁ ସରକାର ଡରୁଥିଲେ । ମନ୍ତ୍ରୀ ପଦ ଓ ଖଣି ଦେବାକୁ ମଧ୍ୟ ସେତେବେଳେ ଯାଚୁଥିଲେ । ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ନେତ୍ୱତ୍ୱ ମିଳିଛି । ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ନୁହେଁ ମୁଁ ଆପଣଙ୍କ ମୋହନ ଭାଇ । ଲୋକଙ୍କ ଭଲ ପାଇବା ପାଇ ମୁଁ ମୋହନ ଭାଇ ହୋଇ ରହିବି ବୋଲି ସେ କହିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।