ଭୁବନେଶ୍ୱର: ଦିଲ୍ଲୀରୁ ଚିଠି ଆସିଲା, ଭୁବନେଶ୍ଵରରେ ହଲଚଲ ହେଲା । ଖାଲି ହଲଚଲ ହେଲା ତାହା ନୁହେଁ ବରଂ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ମୁସ୍କିଲ ବଢିବାକୁ ଯାଉଛି । ଆଦିବାସୀ ପିଲାଙ୍କ ପାଠପଢା ଆଳରେ ଜଙ୍ଗଲ ଜମି ହଡ଼ପ କରିବାକୁ ଚାହୁଁଛନ୍ତି କି ଅଚ୍ୟୁତ ସାମନ୍ତ ? ସରକାରୀ ଦଳର ସାଂସଦ ଥିବା ବେଳେ କରିଛନ୍ତି କି କ୍ଷମତାର ଅପବ୍ୟବହାର ? ବେଆଇନ ଭାବେ ଜଙ୍ଗଲ ଜମି ହାତେଇବା ନେଇ ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି ।
ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା, ଭୁବନେଶ୍ଵର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନସେସ୍ ‘କିସ୍’ କୁ ନେଇ ଜୁନ ୨୧ ତାରିଖରେ କେନ୍ଦ୍ରରୁ ଚିଠି ଆସିଛି । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ।
ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି କି, କିସ୍ ସପକ୍ଷରେ ୪.୦୩୨ ହେକ୍ଟର ରାଜସ୍ୱ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ଜଙ୍ଗଲ ଅଧିକାର ଆଇନର ସଠିକ୍ ଅନୁପାଳନ ହୋଇନି । ତେଣୁ ଆଦିବାସୀ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ନମିଳିବା ପର୍ୟ୍ୟନ୍ତ ଏବଂ ଆନୁଷ୍ଠାନିକ ଅନୁମୋଦନ ଦିଆନଯିବା ପର୍ଯ୍ୟନ୍ତ ସେହି କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏସବୁ ଭିତରେ ସାମ୍ନାକୁ ଆସିଛି ଗତ ଫେବୃଆରୀ ୨୧ର ଆଉ ଏକ ଚିଠି । ଯେଉଁଥିରେ କିସ୍କୁ ଜଙ୍ଗଲ ଜମି ହସ୍ତାନ୍ତର ପୂର୍ବରୁ ଏବଂ ପରେ କେତେକ ସର୍ତ୍ତ ଅନୁପାଳନ ପାଇଁ ରାଜ୍ୟ ଜଙ୍ଗଲ ବିଭାଗକୁ ଲେଖିଥିଲେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ । ଦୁଇ ଦୁଇଟି ଚିଠି ଆସିବା ଚର୍ଚ୍ଚା ହେଉଛି କି ଜଙ୍ଗଲ ଜମିରେ ହୋଇଛି କିଛି ହେରଫେର । ତଥାପି ତାଙ୍କ ବିରୋଧରେ ଏ ଯାଏ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଭୁବନେଶ୍ଵର ପଥରଗାଡ଼ିଆ ମୌଜାରେ ଥିବା ଜଙ୍ଗଲ ଜମିକୁ ଜବରଦଖଲ କରିବା ନେଇ କିସ୍ ବିରୋଧରେ ୨୦୧୬ରେ ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ(ଏନଜିଟି)ରେ ଅଭିଯୋଗ ହୋଇଥିଲା । ସୁବାସ ମହାପାତ୍ରଙ୍କ ଅଭିଯୋଗର ଶୁଣାଣି କରି ୨୦୧୭ ମାର୍ଚ୍ଚ ୨୧ରେ ଅନ୍ତରୀଣ ରାୟ ଦେଇଥିଲେ ଏନଜିଟିର କୋଲକାତାସ୍ଥିତ ଇଷ୍ଟର୍ଣ୍ଣ ଜୋନ୍ । କିସ୍ ଜବରଦଖଲରେ ଥିବା ଜଙ୍ଗଲ ଜମିରୁ ବେଆଇନ ନିର୍ମାଣକୁ ଉଚ୍ଛେଦ କରି, ତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏନଜିଟି ।
କେବଳ ଏତିକି ନୁହେଁ, ଅନୁମତି ନମିଳିବା ପର୍ଯ୍ୟନ୍ତ ସେଠାରେ ଅଣଜଙ୍ଗଲ କାର୍ୟ୍ୟକଳାପ ହୋଇପାରିବ ନାହିଁ ବୋଲି ୨୦୨୦ର ଚୂଡ଼ାନ୍ତ ରାୟରେ ଶୁଣାଇଥିଲେ ଏନଜିଟି । ହେଲେ ଏହାକୁ ଖାତିର ନକରି ବେଆଇନ କୋଠା ନିର୍ମାଣ କରିଚାଲିଥିଲା ସଂପୃକ୍ତ ସଂସ୍ଥା । ଏନେଇ ବାରମ୍ବାର ଅଭିଯୋଗ ବି ହୋଇଥିଲା ।
ସୂଚନାଯୋଗ୍ୟ, କିସ୍ ହେଉଛି ଆଦିବାସୀ ପିଲାଙ୍କ ପାଇଁ ଭୁବନେଶ୍ଵରରେ ଥିବା ଏକ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନ । ଏହା ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିବା ବେଳେ, ଆଦିବାସୀ ପିଲାଙ୍କ ପାଠପଢା ଆଳରେ ଜଙ୍ଗଲ ଜମି ହଡ଼ପ ଅଭିଯୋଗ ହୋଇଛି । ସରକାରୀ ଦଳର ସାଂସଦ ଥିବା ବେଳେ ଅଚ୍ୟୁତ ସାମନ୍ତ କ୍ଷମତାର ଅପବ୍ୟବହାର କରିଥିବା କୁହାଯାଉଛି । ବର୍ଷ ବର୍ଷ ଧରି କାହିଁକି ଏନ୍ଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ ତତ୍କାଳୀନ ବିଜେଡି ସରକାର? କେବେ ହେବ କାର୍ଯ୍ୟାନୁଷ୍ଠାନ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ସଭିଙ୍କ ନଜର ମୋହନ ମାଝୀ ସରକାରଙ୍କ ଉପରେ ରହିଛି ।