ନୂଆଦିଲ୍ଲୀ: ଓମ ବିର୍ଲା ଲଗାତାର ଦ୍ୱିତୀୟ ଥର ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ନିର୍ବାଚନରେ ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ରଖିଥିଲେ । ଏନଡିଏର ସମସ୍ତ ସହଯୋଗୀ ଦଳ ବିର୍ଲାଙ୍କ ନାମରେ ସମର୍ଥନ ଦେଇଥିଲେ । ଏହା ପରେ ଲୋକସଭାରେ ଧ୍ୱନିମତରେ ଓମ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଉ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କଂଗ୍ରେସ ସାଂସଦ କେ. ସୁରେଶ ବାଚନିକ ଭୋଟରେ ଓମ ବିର୍ଲାଙ୍କଠାରୁ ପରାସ୍ତ ହୋଇଛନ୍ତି ।
୧୮ତମ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ବିଜେପି ସାଂସଦ ଓମ ବିର୍ଲା ଲୋକସଭାର ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବାଚସ୍ପତି ଆସନ ପାଖକୁ ଆସି ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଆମର ସୌଭାଗ୍ୟ ଆପଣ ପୁଣି ଥରେ ଲୋକସଭାର ବାଚସ୍ପତି ହୋଇଛନ୍ତି । ଏହା ଗୃହର ସୌଭାଗ୍ୟ ଯେ, ଆପଣ ଦ୍ୱିତୀୟ ଥର ଏହି ଆସନରେ ବିରାଜମାନ ହେଉଛନ୍ତି । ଆପଣଙ୍କୁ ମୋର ଏବଂ ଏହି ଗୃହ ତରଫରୁ ବହୁତ ଶୁଭକାମନା । ଅମୃତକାଳର ଏହି ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡରେ ଦ୍ୱିତୀୟ ଥର ବିରାଜମାନ ହୋଇ ଆପଣଙ୍କୁ ବହୁତ ବଡ ଦାୟିତ୍ୱ ମିଳିଛି । ଆମ ସମସ୍ତଙ୍କୁ ବିଶ୍ୱାସ ଆପଣ ଆଗାମୀ ୫ ବର୍ଷ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିବେ ।