ଡେଲାଙ୍ଗ: ପାରିବାରିକ କଳହରୁ ଫୁଟିଲା ଗୁଳି । ବଡ଼ ଶଢୁର ଗୁଳି ମାଡ଼ରେ ସାନ ଶଢୁ ମୃତ । ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। ମୃତକ ହେଲେ ନରେନ୍ଦ୍ର ମଲ୍ଲିକ । ହତ୍ୟାକାଣ୍ଡ ପରେ ବଡ଼ ଶଢୁ ଦୀପକ କୁମାର ସିଂ ଫେରାର ହୋଇଯାଇଛନ୍ତି ।
ଡେଲାଙ୍ଗ ବଜାରରେ ନରେନ୍ଦ୍ରଙ୍କର ସାଇକେଲ ମରାମତି ଦୋକାନ ରହିଛି । ଗତକାଲି ରାତିରେ ନରେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିଲା । ଏହି ସମୟରେ ଲୁଣା ବ୍ରିଜ ନିକଟରେ ଦୀପକ ଓ ତାର ସହଯୋଗୀ ଛପି ରହିଥିଲେ । ନରେନ୍ଦ୍ର ଲୁଣା ବ୍ରିଜ ଦେଇ ଯିବା ବେଳେ ଦୀପକ ଓ ତାଙ୍କ ସହଯୋଗୀ ପ୍ରଥମେ ଲୁହା ରଡରେ ତାଙ୍କୁ ଆକ୍ରମଣ କରିଥିଲେ । ପରେ ଗୁଳି କରି ହତ୍ୟା କରିଥିଲେ ।
ନରେନ୍ଦ୍ର ବ୍ରିଜ ଉପରେ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ପ୍ରଥମେ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏଥିସହ ପରିବାର ଲୋକଙ୍କୁ ଖବର ଦେଇଥିଲେ । ନରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୃତଦେହ ଡେଲାଙ୍ଗରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ନରେନ୍ଦ୍ରଙ୍କ ପରିବାରକୁ ସହାୟତା ଦେବା ପାଇଁ ଦାବି କରିବା ସହ ମୃତଦେହକୁ ରାସ୍ତା ଉପରେ ରଖି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଫଳରେ ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ପୋଲିସ ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନ କରିଥିଲେ । ଶେଷରେ ସହାୟତା ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା । ହତ୍ୟାକାଣ୍ଡ ପଛରେ ପାରିବାରିକ ବିବାଦ ଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଡେଲାଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।