ରଥଯାତ୍ରାରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ଶ୍ରୀମନ୍ଦିରକୁ VIP ପ୍ରବେଶ ମନା


ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ୭ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସେ ସାମିଲ ହେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏହି ଅବସରରେ ମନ୍ଦିର ଭିତରକୁ VIP ଙ୍କ ପ୍ରବେଶକୁ ବାରଣ କରାଯାଇଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ବିଶେଷ କରି ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପୁରୀରେ ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବେ ।
ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଗୃହ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସେ ଅନୁଧ୍ୟାନ କରିବେ ।
ଆସନ୍ତା ୬ରୁ ୯ ତାରିଖ ଯାଏଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ଅବସରରେ ରଥଯାତ୍ରା ଯାତ୍ରାରେ ସାମିଲ ହେବା ସହ ଭୁବନେଶ୍ୱରରେ ଏକାଧିକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
୬ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ସଂଧ୍ୟାରେ ରାଷ୍ଟ୍ରପତି ଉତ୍କଳମଣିଙ୍କ ୯୬ ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ । ୭ ତାରିଖରେ ପୁରୀ ଗସ୍ତରେ ଯିବେ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ରଥଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୮ ତାରିଖରେ ଖଣ୍ଡଗିରି, ଉଦୟଗିରି ପରିଦର୍ଶନ ଯିବେ ରାଷ୍ଟ୍ରପତି । ୮ ତାରିଖ ଅପରାହ୍ନରେ ଡିଭାଇନ୍‌ ରିଟ୍ରିଟ୍‌ ସେଣ୍ଟର ଉଦ୍‌ଘାଟନ କରିବେ । ୯ ତାରିଖ ପୂର୍ବାହ୍ନରେ ନାଇଜର୍‌ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିଦିନ ଅପରାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହି ସମୟରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହାକୁ ସୁରୁଖୁରରେ ସମ୍ପାଦନ କରିବାକୁ ଜୋରଦାରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।