ଭୁବନେଶ୍ବର: ଆଉ ମନଇଚ୍ଛା ତାଳ ଗଛ କାଟି ହେବନି । ଗଛ କାଟିବାକୁ ହେଲେ ନେବାକୁ ପଡ଼ିବ ବନ ବିଭାଗର ଅନୁମତି। ଏମିତିକି ନିଜ ବାଡ଼ିରେ ଥିବା ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି । ମନଇଚ୍ଛା ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଦେବୀଦତ୍ତ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ତାଳ ଗଛ କାଟିବା ପାଇଁ ପୂର୍ବରୁ ଅନୁମତି ନେବାକୁ ପଡୁଥିଲା । ପରେ ସେଥିରେ ସଂଶୋଧନ କରାଯାଇଥିଲା । ଯେଉଁଥିରେ ଅନୁମତିର ଆବଶ୍ୟକତା ପଡୁ ନଥିଲା । ଫଳରେ ରାସ୍ତାକଡ଼ରେ ଥିବା ତାଳ ଗଛ ସବୁ କଟା ହୋଇଗଲା । ତେଣୁ ତାଳ ଗଛ କାଟିବା ପାଇଁ ଅନୁମତି ନେବା ନିୟମକୁ ପୁଣି ଥରେ ଲାଗୁ କରାଯାଇଛି । ନିଜ ବାଡ଼ିରେ ଶାଗୁଆନ, ଶାଳ ଆଦି ଗଛ ଥିଲେ କାଟିବା ପୂର୍ବରୁ ଯେମିତି ବନ ବିଭାଗର ଅନୁମତି ନେବାକୁ ପଡୁଛି । ସେମିତି ତାଳ ଗଛ କାଟିବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ଏହି ନିୟମ ନମାନିଲେ ଜରିମାନାଠାରୁ ଆରମ୍ଭ କରି ଜେଲ୍ ପର୍ଯ୍ୟନ୍ତ ବିଭିନ୍ନ ଦଣ୍ଡ ବିଧାନ ରହିଛି ।
ସେହିପରି ରାଜ୍ୟରେ ଚଳିତବର୍ଷ ବନ ବିଭାଗ ୧୯ ଲକ୍ଷ ତାଳ ଗଛ ଲଗାଇବ । ପିସିସିଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ SRCଙ୍କ ପକ୍ଷରୁ ସାଢ଼େ ୭ କୋଟି ଟଙ୍କା ଖର୍ଚ୍ଚ ହେବ । ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କୁ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଓ ବନ ବିଭାଗର ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାରଗୁଡ଼ିକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ୧୯ ଲକ୍ଷ ତାଳଗଛ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଏପରିକି କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।