ପୁରୀ: ଆସନ୍ତା ୭ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପୁରୀରେ ଏଥିପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଆଜି ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ତତ୍ପର ରହିଛି ପ୍ରଶାସନ ଓ ପୋଲିସ୍ ।
ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଯୋଗଦେବେ । ରଥ ନିର୍ମାଣ ଅଗ୍ରଗତି, ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା ଭଳି ସମସ୍ତ ଦିଗ ଉପରେ କରିବେ ସମୀକ୍ଷା ।
ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବୈଠକରେ ସାମିଲ ହେବେ ।
ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହି ସମୟରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହାକୁ ସୁରୁଖୁରରେ ସମ୍ପାଦନ କରିବାକୁ ଜୋରଦାରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏହି ଅବସରରେ ମନ୍ଦିର ଭିତରକୁ VIPଙ୍କ ପ୍ରବେଶକୁ ବାରଣ କରାଯାଇଛି । ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଗତକାଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।