ପୁରୀ: ଜୁଲାଇ ୭ ତାରିଖ । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚାଲିଛି ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ବଳୟରେ ରହିବ ପୂରା ପୁରୀ । ଏଥର ରଥଯାତ୍ରା ସମୟରେ ବ୍ଲାଙ୍କେଟ୍ ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର । ରଥଯାତ୍ରା ସୁରକ୍ଷାର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ । ଏହାସହ ରଥଯାତ୍ରା ସମୟରେ ପୁରୀରେ ମୁତୟନ ହେବେ ୧୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ।
ବ୍ଲାଙ୍କେଟ୍ ସୁରକ୍ଷା ବ୍ୟବସ୍ଥାରେ ୪ ଜଣ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ । ଏଥିସହ ୧୯ ଏସପି ବା କମାଣ୍ଡାଣ୍ଟ ପାହ୍ୟା, ୩୩ ଜଣ ଅତିରିକ୍ତ SP ବା ଡେପୁଟି କମାଣ୍ଡାଣ୍ଟ ପାହ୍ୟା, ୭୫ ଜଣ ଡିଏସପି ବା କମାଣ୍ଡର ପାହ୍ୟା, ୧୩୦ ଇନ୍ସପେକ୍ଟର, ୬୭୫ SI ଓ ASI ପାହ୍ୟା ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ ।
୩ ପ୍ଲାଟୁନ OSAF ମୁତୟନ କରାଯିବା ସହିତ ୫ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଆବେଦନ କରାଯାଇଛି । ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ ଓ ସୋଶାଲ ମିଡିଆରେ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ୍ ସୂଚନା ଦିଆଯିବ ବୋଲି କହିଛନ୍ତି ଡିଜିପି । ଏଥିସହ ରାଷ୍ଟ୍ରପତି ଓ ବିଶିଷ୍ଟ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।
ଚଳିତ ରଥଯାତ୍ରାରେ ସାମିଲ ହେବା ନିମନ୍ତେ ଆସନ୍ତା ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭ ତାରିଖରେ ସେ ପୁରୀ ଗସ୍ତ କରି ରଥଯାତ୍ରା ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ରାଷ୍ଟ୍ରପତି ଜୁଲାଇ ୬ ସଂଧ୍ୟାରେ ଭୁବନେଶ୍ବର ଜୟଦେବ ଭବନଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ । ୭ରେ ପୁରୀ ଗସ୍ତ କରି ଅପରାହ୍ନରେ ରଥଯାତ୍ରା ଦର୍ଶନ କରିବେ । ୮ ତାରିଖ ଭୋରରୁ ପୁରୀ ସମୁଦ୍ରକୂଳରେ ପ୍ରାତଃ ଭ୍ରମଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଭୁବନେଶ୍ୱର ଫେରି ପୂର୍ବାହ୍ନରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବେ । ୯ ତାରିଖ ଅପରାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ଫେରିବାକୁ ଥିବା ବେଳେ, ଏହା ପୂର୍ବରୁ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଜଟଣୀସ୍ଥିତ ନାଇଜରର ସ୍ନାତକ ସମାରୋହ ଉତ୍ସବରେ ସାମିଲ ହେବେ ।