ବାଇକରେ ବସିଥିଲେ, ପଛରୁ ବାଜିଲା କୁରାଢ଼ି ଚୋଟ


କୁଜଙ୍ଗ: ଗାଁ ମଝିରେ ବୁଲିଲା କୁରାଢ଼ି । ବାଜିଲା ବାଇକରେ ବସିଥିବା ଜଣେ ଯୁବକଙ୍କ ଉପରେ । ସେଇଟି ଟଳି ପଡ଼ିଲେ ଯୁବକ ଜଣଙ୍କ । ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା କାବଲପୁର ଗାଁରେ। ମୃତ ଯୁବକଙ୍କ ନାଁ ଦୀନବନ୍ଧୁ ମାଝୀ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଲାଇଛି ।

ମିଳିଥିବା ସୂଚନା ଅନୁସାରେ ଦୀନବନ୍ଧୁ ବାଇକରେ ଆସି ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ । ସେଇ ସମୟରେ ତପନ ସାମଲ ନାମକ ଯୁବକ ପଛ ପଟୁ ଆସି ତାଙ୍କ ଉପରେ କୁରାଢ଼ିରେ ଚୋଟ ପକାଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ସେ ତଳେ ପଡି ଯାଇଥିଲେ । ଏହା ଦେଖିବା ପରେ ଗାଁରେ ହୋହାଲ୍ଲା ଆରମ୍ଭ ହୋଇଥିଲା । ଲୋକଙ୍କ ମଧ୍ୟରେ ଧାଁଦୌଡ଼ ଲାଗିଯାଇଥିଲା । ଲୋକେ ଦୀନବନ୍ଧୁଙ୍କୁ ଉଦ୍ଧାର କରି କୁଜଙ୍ଗ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ, ଗାଁ ଲୋକେ ଘଟଣା ପରେ ଅଭିଯୁକ୍ତ ତପନକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି । ଖବର ପାଇ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ କୁଜଙ୍ଗ ଡାକ୍ତରଖାନାରେ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି ।