ଲୋକସଭାରୁ ହଟିଲା ରାହୁଲଙ୍କ ଭାଷଣର ବିବାଦୀୟ ଅଂଶ, ରାହୁଲ କ୍ଷୁବ୍ଧ, ବାଚସ୍ପତିଙ୍କ ନିକଟକୁ ଲେଖିଲେ ଚିଠି


ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ନିଜ ଭାଷଣର କିଛି ଅଂଶକୁ ହଟାଇବା ବିରୋଧରେ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି, ମୋର ବିଚାରକୁ ଗୃହକାର୍ଯ୍ୟରୁ ହଟାଇବା ସଂସଦୀୟ ଗଣତନ୍ତ୍ର ଭାବନା ବିରୋଧୀ । ତେଣୁ ମୋ ଭାଷଣର ଯେଉଁ ଅଂଶକୁ ହଟାଯାଇଛି ତାହାକୁ ପୁଣି ଥରେ ଲାଗୁ କରାଯାଉ ବୋଲି ରାହୁଲ ଚିଠିରେ ଦାବି କରିଛନ୍ତି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ବିଜେପିର ସାଂସଦ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଷଣରେ ମଧ୍ୟ ମାଳ ମାଳ ଅଭିଯୋଗ ରହିଥିଲା । ମାତ୍ର ତାଙ୍କ ଭାଷଣରୁ କିଛି ଶବ୍ଦକୁ ହଟାଗଲା । ମାତ୍ର ମୋ ଭାଷଣର କିଛି ଅଂଶକୁ ହିଁ ହଟାଇ ଦିଆଯାଇଛି । ଏମିତି ଭେଦଭାବ କଣ ପାଇଁ ହେଉଛି ବୁଝି ହେଉନି ।

ଋାହୁଲ କହିଛନ୍ତି, ମୁଁ ଗୃହରେ ସତ୍ୟ କଥା ହିଁ କହିଥିଲି । ପ୍ରତ୍ୟେକ ସାଂସଦଙ୍କ ଅଧିକାର ସେ ସଂସଦରେ ଲୋକଙ୍କ ସଂପର୍କିତ ପ୍ରସଙ୍ଗ ଉଠାନ୍ତୁ । ଏହାକୁ ଦୃଷ୍ଟିରେ ରଖି ମୁଁ ନିଜର ଭାଷଣ ଦେଇଥିଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆରେ ସତ କଥାକୁ ହଟାଇବାକୁ ଚାହୁଁଛନ୍ତି । ବାସ୍ତବରେ ଏମିତି ହୋଇ ପାରିବ ନାହିଁ । ବିଜେପି ରାହୁଲ ଗାନ୍ଧୀଙ୍କ ବାଚସ୍ପତିଙ୍କୁ ଲେଖିଥିବା ଚିଠିକୁ ନେଇ ପାଲଟା ଆକ୍ରମଣ କରିଛି ।

କେନ୍ଦ୍ର ମନ୍ତ୍ରୀ କୃଷ୍ଣପାଲ ଗୁର୍ଜର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାଷଣର କିଛି ଅଂଶ ହଟାଇବାର ଅଧିକାର ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ରହିଛି । ଉଲ୍ଲେଖନୀୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲେଚନା ସମୟରେ ରାହୁଲ ଗାନ୍ଧୀଙ୍କ ଭାଷଣର କିଛି ଅଂଶ ଜୁଲାଇ ୧ ତାରିଖ ସୋମବାର ହଟାଇ ଦିଆଯାଇଛି । ହଟାଯାଇଥିବା ଅଂଶରେ ହିନ୍ଦୁ ଓ ଅନ୍ୟ କିଛି ଧର୍ମ ଉପରେ କରିଥିବା କିଛି ଟିପ୍ପଣୀ ସାମିଲ ।

କଣ କହିଥିଲେ ରାହୁଲ ଗାନ୍ଧୀ ?

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ, ବିଜେପି ଦେଶରେ ହିଂସା, ଘୃଣା ଓ ଭୟର ମାହୋଲ ଉତ୍ପନ କରୁଛି । ସେ ଏହା ମଧ୍ୟ କହିଥିଲେ, ଏହି ଲୋକେ ହିନ୍ଦୁ ନୁହନ୍ତି କାରଣ ଏମାନେ ୨୪ ଘଣ୍ଟା ହିଂସାର କଥା କହୁଛନ୍ତି ।