ଭୁବନେଶ୍ବର: ‘ଲକ୍ଷ୍ମୀ ବସ୍’ ପରେ ବଦଳିବାକୁ ଯାଉଛି ‘ମୋ ବସ୍’ ନାଁ । ଏମିତି କିଛି ସଙ୍କେତ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି, ‘ମୋ ବସ’ର ନାଁ ପରିବର୍ତ୍ତନ ହୋଇ ‘ଆମ ବସ’ ହୋଇପାରେ । ମୁଁ କିମ୍ୱା ମୋ ଶବ୍ଦ ଦ୍ୱାରା କିଛି ହୁଏ ନାହିଁ । ଆମ ସରକାର ଏବଂ ଲୋକଙ୍କ ସରକାର । ତେଣୁ ‘ଆମ ବସ୍’ ନାଁ ରହିଲେ ଭଲ ହେବ ।
ଆଜି ମାଷ୍ଟରକ୍ୟାଣ୍ଟିନରୁ ମୋ ବସରେ ମନ୍ତ୍ରୀ ପ୍ରେସଛକ ଯାଏଁ ଯାତ୍ରା କରିଥିଲେ । ଏହି ସମୟରେ ସେ ଯାତ୍ରୀଙ୍କ ସମେତ ମୋ ବସ୍ କର୍ମଚାରୀଙ୍କ ସହ କଥା ହୋଇ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।
ମନ୍ତ୍ରୀ କହିଛନ୍ତି, ପ୍ରଥମେ ‘ମୋ ବସ୍’ର ବ୍ୟବସ୍ଥା ବଦଳିବ । ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନାଁ ଓ ରଙ୍ଗ ବଦଳିବ । ଆଗକୁ ସେ କହିଛନ୍ତି, ମୋ ବସ୍ ସେବା ଭଲ ଅଛି । କିନ୍ତୁ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି । ଯାତ୍ରୀଙ୍କ ଅଧିକ ବସ୍ ପାଇଁ ଦାବି କରୁଥିବା ବେଳେ ତାହାକୁ ପୂରଣ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ୪ ଶହ ବିଦ୍ୟୁତ ଚାଳିତ ବସ୍ ଓଡିଶାକୁ ଦେଉଛନ୍ତି । ଅତି ଶୀଘ୍ର ତାହା ସେଗୁଡିକ ଓଡ଼ିଶାରେ ପହଞ୍ଚିବ । ସେଥିମଧ୍ୟରୁ ଭୁବନେଶ୍ୱର ଓ କଟକ ପାଇଁ ଶହେ ଲେଖାଏଁ ବସ୍ ରହିବ । ଅବଶିଷ୍ଟ ବସ୍ ଅନ୍ୟାନ୍ୟ ସହର ପାଇଁ ଦିଆଯିବ ।
ମୋ ବସ୍ ଡ୍ରାଇଭରଙ୍କ ବେପରୱା ଗାଡ଼ି ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗକୁ ନେଇ ମନ୍ତ୍ରୀ କହିଛନ୍ତି, ଏହାକୁ ଗୁରୁତ୍ୱର ସହ ନିଆଯାଉଛି । ମଝିରେ ମଝିରେ ଚେକିଂ କରାଯିବ । ଯେପରି ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ନ ଚଳାନ୍ତି ତାହା ଉପରେ କଡ଼ା ନଜର ରଖାଯିବ । ଏଥିସହ ଟ୍ରାଫିକ ସୁପରିଚାଳନା ଉପରେ ବି ଗୁରୁତ୍ୱ ଦିଆଯିବ । ମୋ ବସରେ ଚୋରି ମାମଲା ବଢ଼ୁଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ଗୁରୁତର ସହ ନେବୁ ବୋଲି ମନ୍ତ୍ରୀ କହିଛନ୍ତି । ମୋ ବସ୍ କର୍ମଚାରୀ ଯାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଆଗକୁ ଯେପରି ଏପରି ଭୁଲ୍ ନହୁଏ ସେଥିପ୍ରତି ସତର୍କ ରହିବାକୁ ମନ୍ତ୍ରୀ ବସ୍ କର୍ମଚାରୀଙ୍କୁ ସତର୍କ କରାଇଛନ୍ତି ।