ପ୍ରଧାନମନ୍ତ୍ରୀଙ୍କୁ T-20 ବିଶ୍ବକପ୍ ଟ୍ରଫି ହସ୍ତାନ୍ତର କଲା ଟିମ୍ ଇଣ୍ଡିଆ


ନୂଆଦିଲ୍ଲୀ: ବିଶ୍ବ ବିଜୟ ଟ୍ରଫି ସହ ଭାରତ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଭାରତୀୟ ଟିମ୍ । ସକାଳେ ଦିଲ୍ଲୀରେ ପହଞ୍ଚିବା ପରେ ସେଠାରେ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା । ହୋଟେଲରେ କିଛି ସମୟ ବିଶ୍ରାମ ନେବା ପରେ ଖେଳାଳିମାନେ ମଧ୍ଯାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଅବସରରେ କ୍ଯାପଟେନ ରୋହିତ ଶର୍ମା ଏବଂ ମୁଖ୍ଯ କୋଚ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କ ହାତକୁ ଟ୍ରଫି ହସ୍ତାନ୍ତର କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଭାରତୀୟ ଟିମ ମୁମ୍ବାଇ ଅଭିମୁଖେ ବାହାରିଯାଇଛନ୍ତି । ମୁମ୍ବାଇରେ ପହଞ୍ଚିବା ପରେ ଅପରାହ୍ନ ୫ଟାରୁ ଟିମ୍ ଇଣ୍ଡିଆର ଭିକଟ୍ରି ପରେଡ୍ ବା ବିଜୟ ଉତ୍ସବ ପାଳନ ହେବ ।
ମୁମ୍ବାଇ ବିମାନ ବନ୍ଦରରୁ ମରିନ ଡ୍ରାଇଭ ଦେଇ ୱାଙ୍ଖଡ଼େ ଷ୍ଟାଡିୟମ ପର୍ଯ୍ୟନ୍ତ ଭିକ୍ଟ୍ରି ରାଲି ହେବ । ଏହା ପରେ ୱାଙ୍ଖଡ଼େ ଷ୍ଟାଡିୟମରେ ଗ୍ରାଣ୍ଡ ସେଲିବ୍ରେସନ ପାଳନ କରାଯିବ । ଏଥିରେ ଯୋଗ ଦେବାକୁ ସବୁ ଫ୍ଯାନଙ୍କୁ ଆହ୍ବାନ ଦେଇଛନ୍ତି ନିଜେ କ୍ଯାପଟେନ ରୋହିତ ଶର୍ମା। ଏହି ଖୁସିର ମୁହୂର୍ତ୍ତ ସବୁ ଫ୍ଯାନଙ୍କ ସହିତ ସେଲିବ୍ରେସନ କରିବାକୁ ଚାହୁଁଥିବା କହିଛନ୍ତି ଟିମ୍ ଇଣ୍ଡିଆ କ୍ଯାପଟେନ ।
ଗତ ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲର ଟିମ୍ ଇଣ୍ଡିଆ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବ ବିଜୟୀ ହୋଇଥିଲା । ତେବେ ୱେଷ୍ଟଇଣ୍ଡିଜରେ ଘୂର୍ଣ୍ଣିଝଡ଼ର ତାଣ୍ଡବଲୀଳା ପାଇଁ ସେଠାରୁ ସ୍ବଦେଶ ଫେରି ପାରି ନଥିଲେ ଟିମ୍ ଇଣ୍ଡିଆର ସଦସ୍ଯ । ୩ ଦିନ ପରେ ସ୍ଥିତି ସ୍ବାଭାବିକ ହେବାରୁ ଭାରତରୁ ଏକ ସ୍ବତନ୍ତ୍ର ଚାର୍ଟାର୍ଡ ଫ୍ଲାଇଟ କ୍ରିକେଟରଙ୍କୁ ଆଣିବାକୁ ବାର୍ବାଡୋସ୍ ଯାଇଥିଲା । ଗତକାଲି ସ୍ବତନ୍ତ୍ର ବିମାନରେ ସେଠାରୁ ଯାତ୍ରା ଆରମ୍ଭ କରି ଆଜି ସମସ୍ତେ ଦିଲ୍ଲୀରେ ପହଞ୍ଚିଛନ୍ତି ।