ଲକ୍ଷେ ଟଙ୍କାରେ ଦିନର ଶିଶୁପୁତ୍ରକୁ ବିକି ଦେଲା ମାଆ !


ପାରାଦୀପ: ମାତ୍ର ଦିନର ଶିଶୁ । ମାଆକୁ ଭଲରେ ଦେଖିନି । ହେଲେ ସେହି ଜନ୍ମ କଲା ମାଆ ମାତ୍ର କିଛି ଟଙ୍କା ପାଇଁ ପିଲାଟିକୁ ଅନ୍ୟକୁ ବିକ୍ରି କରି ଦେଇଛି । ଏମିତି ଏକ ଅଭିଯୋଗ ଆସିଛି ପାରାଦୀପ ଅଞ୍ଚଳରୁ । ଜଣେ ମହିଳା ତାଙ୍କ ଦିନକର ନବଜାତ ଶିଶୁ ପୁତ୍ରକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଗତ ରବିବାର ଦିନ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ସୋମବାର ଦିନ ଶିଶୁପୁତ୍ରଟିକୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିବା ଅଭିଯୋଗ ହେଉଛି । ନୂଆ ବଜାରର ଜଣେ ଦଲାଲଙ୍କ ପ୍ରରୋଚନାରେ ଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିବା କଥା ଶୁଣିବାକୁ ମିଳୁଛି ।
ସୂଚନା ଅନୁସାରେ ମହିଳା ଜଣକ ପ୍ରଥମେ ଷଣ୍ଢକୁଦ ବସ୍ତିରେ ରହୁଥିଲେ । ସେଠାରେ ଜଣେ ମହିଳା ତାଙ୍କର ଭଲ ମନ୍ଦ ବୁଝିବା ସହିତ ସମୟ ସମୟରେ ଯାଇ ତାଙ୍କ ଚିକିତ୍ସା କରାଉଥିଲେ । କେବଳ ସେତିକି ନୁହେଁ, ପୂର୍ବରୁ ଥିବା ଝିଅର ଭବିଷ୍ୟତ ପାଇଁ ମଧ୍ୟ ୩୦ ହଜାର ଟଙ୍କା ଦେବି ବୋଲି କହିଥିଲେ । ଏହାପରେ ପିଲା ଜନ୍ମ ହେଲେ ତାଙ୍କୁ ଦେବାକୁ ଆଦିବାସୀ ମହିଳା କୁଆଡେ ରାଜି ହୋଇଥିଲେ ।
ମାତ୍ର କିଛି ଦିନ ହେବ ଆଦିବାସୀ ମହିଳା ଜଣକ ନୂଆ ବଜାର ବସ୍ତିରେ ରହୁଥିଲେ । ସେଠାରେ ଜଣେ ବ୍ୟକ୍ତି ତଙ୍କୁ ଅର୍ଥ ଲୋଭ ଦେଇ ପିଲାକୁ ନେଇ ବିଶାଖାପାଟଣା ପଳାଇ ଯାଇଥିବା ଅଭିଯୋଗ ହୋଇଛି । ତେବେ ଆଦିବାସୀ ମହିଳାଙ୍କୁ ଚିକିତ୍ସା କରାଉଥିବା ମହିଳା ଏହା ଜାଣିବା ପରେ ସ୍ଥାନୀୟ ପାରିଷଦ ଓ କିଛି ମହିଳାଙ୍କୁ ସାଙ୍ଗରେ ନେଇ ପାଟିତୁଣ୍ଡ କରିଥିଲେ ।
ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଘଟଣାରେ ତଦନ୍ତ ଚାଲିଥିବା କହିଛନ୍ତି ପାରାଦୀପ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ । ତଦନ୍ତ ପାଇଁ ଏକ ଟିମ୍‌ ଗଠନ ହୋଇଥିବା କହିଛନ୍ତି ଶିଶୁ ମଙ୍ଗଳ ଅଧିକାରୀ ।