ସାଇକେଲକୁ ଧକ୍କା ଦେଲା ଆମ୍ବୁଲାନ୍ସ, ନାବାଳକ ମୃତ, ବାପା ଗୁରୁତର


ନବରଙ୍ଗପୁର: ସକାଳୁ ସକାଳୁ ବାପାଙ୍କ ସାଇକେଳରେ ଶୌଚ ପାଇଁ ଯାଉଥିଲା ୮ ବର୍ଷର ପୁଅ । ଶୌଚ ଯିବାକୁ ଶୌଚ ଯିବା ଓ ବାପା ସହ ସକାଳୁ ସକାଳୁ ସାଇକେଲରେ ବୁଲିବାକୁ ନେଇ ବହୁତ ଖୁସି ଥିଲା ନାବାଳକ ଜଣଙ୍କ । ହେଲେ ବାପା ସହ ଏମିତି ବୁଲିବା ଥିଲା ତା’ର ଶେଷ ବୁଲା । ନା ପୁଅ ଜାଣିଥିଲା ନା ବାପା । ସାଇକେଲରେ ରାସ୍ତା ପାର ହେବା ବେଳେ ପଛରୁ ଆସି ଏକ ଆମ୍ବୁଲାନ୍ସ ଦେଲା ଧକ୍କା । ଘଟଣା ସ୍ଥଳରେ ଚାଲିଗଲା ନାବାଳକର ଜୀବନ । ଗୁରୁତର ଅବସ୍ଥାରେ ବାପା ଏବେ ଜୀବନ ସହ ସଂଗ୍ରାମ କରୁଛି । ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମହେନ୍ଦ୍ରି ଗାଁରେ ଘଟିଛି ।

ମୃତ ନାବାଳ ଜଣଙ୍କ ହେଲେ ନିଖିଳ ମହାନ୍ତି । ନିଖିଳ ଓ ତାଙ୍କ ବାପା ଆଜି ସକାଳେ ଶୌଚ ହେବାକୁ ସାଇକେଲ ଯୋଗେ ଗାଁ ନିକଟ ରାଜ୍ୟ ରାଜପଥରେ ଯାଉଥିଲେ । ଉକ୍ତ ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଉଭୟଙ୍କୁ ପିଟିଥିଲା । ଫଳରେ ଉଭୟ ଦୂରକୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ଛଟପଟ ହୋଇ ନିଖିଳ ଆଖି ବୁଜିଥିବା ବେଳେ ତାଙ୍କ ବାପା ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟାଇ ଆମ୍ବୁଲାନ୍ସ ଚାଳକ ଗାଡ଼ି ସହ ଫେରାର ହୋଇ ଯାଇଛନ୍ତି ।

ସ୍ଥାନୀୟ ଲୋକେ ତୁରନ୍ତ ନିଖିଳଙ୍କ ବାପାଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି । ଘଟଣାସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ପାପଡାହାଣ୍ଡି ତହସିଲଦାର ଏବଂ ଡାବୁଗାଁ ବିଡିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।