ପୁରୀ: ରତ୍ନଭଣ୍ଡାର କେବେ ଖୋଲିବ ୯ ତାରିଖରେ ନିଆଯିବ ନିଷ୍ପତ୍ତି ।ନକଲି ଚାବିରେ ଭଣ୍ଡାର ତାଲା ନଖୋଲିଲେ, ଭଙ୍ଗାଯିବ । ନୂଆ କରି ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ପରେ ଏହି ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ।
ସେ କହିଛନ୍ତି, ନକଲି ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ୯ ତାରିଖ ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଚାବି ଉପସ୍ଥାପନ ହେଲା ପରେ ରତ୍ନଭଣ୍ଡାର କେବେ ଖୋଲାଯିବ ସେ ନେଇ ନିଷ୍ପତ୍ତି ନିଆଯିବ । ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାରର ତାଲା ଖୋଲା ଯାଇନାହିଁ । ଯଦି ଉକ୍ତ ଚାବିରେ ନଖୋଲେ, ତା’ହେଲେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ । ତାଲା କିଭଳି ଭଙ୍ଗା ଯିବ ସେନେଇ ଏସଓପି ପ୍ରସ୍ତୁତ କରାଯିବ ଓ ଉକ୍ତ ଏସଓପିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ।
ସେ ଆହୁରି କହିଛନ୍ତି, ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ, ସେ ନିଷ୍ପତ୍ତି ପରିଚାଳନା କମିଟି ନେବ । ନୀତିକାନ୍ତି ପ୍ରଥମ, ଶ୍ରଦ୍ଧାଳୁଙ୍କ ଦର୍ଶନ ଦ୍ୱିତୀୟ । ଏହାକୁ ଗୁରୁତ୍ୱ ଦିଆଯିବ । କେବଳ ଗଣତି ମଣତି ନୁହେଁ, ରତ୍ନଭଣ୍ଡାର ମରାମତି ମଧ୍ୟ ଜରୁରୀ । ସେଇଠି ଗହଣା ରଖି ମରାମତି କରାଯାଇପାରିବନି । ଗହଣାକୁ ଅନ୍ୟତ୍ର ନିଆଯିବା ଆବଶ୍ୟକ । କେଉଁଠାକୁ ନିଆଯିବ ଓ କେମିତି ରହିବ, ତାହା ପରିଚାଳନା କମିଟି ନିଷ୍ପତ୍ତି ନେବେ । ଅଲଗା ଜାଗାକୁ ସିଫ୍ଟ ସହ ସେଇଠି ଗଣତି, ମଣତି ମଧ୍ୟ କରାଯିବ । ଗଣତି, ମଣତି କିଭଳି କରାଯିବ, ସେନେଇ ଅଲଗା କମିଟି କରାଯିବ । ଆମେ ଗହଣା ଚିହ୍ନି ପାରିବୁନି, ତେଣୁ ସେନେଇ ଅଲଗା ସବ୍ କମିଟି ହେବ । ପୂର୍ବଥର ଏସବୁ କାମ ସମ୍ପନ୍ନ କରିବାକୁ ୭୦ରୁ ଅଧିକ ଦିନ ଲାଗିଥିଲା । ଏଥର ଶୀଘ୍ର ସରିବ ବୋଲି ଆଶା କରାଯାଉଛି । ଉନ୍ନତ ଟେକ୍ନୋଲୋଜି ଥିବାରୁ ଶୀଘ୍ର ଗଣତି କାମ ସରିବ ବୋଲି ଆଶା କରାଯାଉଛି । ଗଣତି, ମଣତିରେ କିଏ ରହିବେ ଆମେ କେବଳ ପରାମର୍ଶ ଦେବୁ ।
ନବ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବସିଥିଲା । କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।