ବଧୂ ନିର୍ଯାତନା ମାମଲା: କୋର୍ଟରେ ହାଜର ହେଲେନି ଶଶିଭୂଷଣ


ବାଙ୍କୀ: ବଧୂ ନିର୍ଯାତନା ଅଭିଯୋଗ ମାମଲାରେ କୋର୍ଟ ଆଜି ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା କୋର୍ଟରେ ହାଜର ହେବାର ଥିଲା । ହେଲେ ସେ କୋର୍ଟରେ ହାଜର ହୋଇନାହାନ୍ତି । ଏହାକୁ ମିଶାଇ ଦ୍ବିତୀୟ ଥର ସେ କୋର୍ଟରେ ହାଜର ହୋଇନାହାନ୍ତି । ବାଙ୍କୀ ଏସଡିଜେଏମ କୋର୍ଟରେ ଆଜି ମାମଲାର ଶୁଣାଣି ଥିଲା । ସ୍ୱାସ୍ଥ୍ୟଗତ କାରଣରୁ ସେ କୋର୍ଟକୁ ଆସି ନଥିବା ସୂଚନା ମିଳିଛି । ତେବେ ମାମଲାରେ ଅନ୍ୟତମ ଅଭିଯୁକ୍ତ ତାଙ୍କ ପୁଅ ସତ୍ୟଭୂଷଣ ବେହେରା କୋର୍ଟରେ ହାଜର ହୋଇଛନ୍ତି ।
ବୋହୂ ରୋନାଲୀ ବେହାରାଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଶଶୀଭୂଷଣ ଏବଂ ସତ୍ୟଭୂଷଣ ବେହେରାଙ୍କ ବିରୋଧରେ ବାଙ୍କୀ ଏସଡିଜେଏମ୍ କୋର୍ଟରେ ମାମଲା ଚାଲିଛି । ଆଗାମୀ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ରୋନାଲି କରିଥିବା ଅଭିଯୋଗ ଅନୁଯାୟୀ, ବିବାହ ପରେ ୪୦ ଲକ୍ଷ ଟଙ୍କାର ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଏନେଇ ଶ୍ୱଶୁରଙ୍କୁ ଜଣାଇବା ପରେ ସେ ତାଙ୍କୁ ଓଲଟା ଗାଳିଗୁଲଜ କରୁଥିଲେ । ତେଣୁ ସେ ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ସମେତ ୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।
ଏଥିସହ ସ୍ୱାମୀଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିବା ବେଳେ ତାଙ୍କୁ ସଫା କରି ଅନ୍ୟତ୍ର ବିବାହ କରିବାକୁ ଧମକ ଦେଉଥିବା ବି ରୋନାଲି ନିଜ ଅଭିଯୋଗରେ ଦର୍ଶାଇଥିଲେ । ନିର୍ଯାତନା ଅସହ୍ୟ ହେବାରୁ ସେ ୨୦୨୧ ମସିହା ଜୁଲାଇ ୩୧ରେ ନିଜ ବାପ ଘରକୁ ଚାଲି ଯାଇଥିଲେ । ପରେ ତାଙ୍କୁ ଆଉ ଶାଶୁ ଘର ଲୋକେ ନେଉ ନଥିବା ସେ ଅଭିଯୋଗ କରିଥିଲେ ।
ବୋହୂଙ୍କ ସମସ୍ତ ଅଭିଯୋଗକୁ ଶଶୀଭୂଷଣ ବେହେରା ଖଣ୍ଡନ କରିବା ସହ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ । ବୋହୂ ସହ କୌଣସି ସମ୍ପର୍କ ନଥିବା ବେଳେ ଯୌତୁକ ନିର୍ଯାତନାର ପ୍ରଶ୍ନ ଉଠୁନି ବୋଲି ସେ ସଫେଇ ଦେଇଥିଲେ । ଏବେ ଏହି ମାମଲାର ଶୁଣାଣି ଚାଲିଛି ।