ବୁର୍ଲା ସାଇଫନରେ ଜାଲରେ ପଡ଼ିଲା ୬୦ କେଜିଆ ବୁଧିଆ ମାଛ


ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବିରାଟ ବିରାଟ ମାଛ ଥିବା ସମସ୍ତେ ଶୁଣିଛନ୍ତି । ବେଳେ ବେଳେ ବଡ଼ ମାଛ ବି ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥାନ୍ତି । ହେଲେ ହୀରାକୁଦ ତଳ ମୁଣ୍ଡ ବୁର୍ଲା ସାଇଫନରୁ ଏକ ୬୦ କେଜି ଓଜନର ବୁଧିଆ ମାଛ ଧରାପଡିଛି । ମାଛର ଆକାର ଏତେ ବଡ଼ ଯେ ଏହାକୁ ଦୁଇ ଜଣ ଲୋକ କାନ୍ଧରେ ବୋହି ଆଣୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ପ୍ରତିଦିନ ମହାନଦୀ ଓ ସାଇଫନକୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥାନ୍ତି । ହୀରାକୁଦ ଡ୍ୟାମ ଦକ୍ଷିଣ ପାର୍ଶ୍ଵ ତଳ ମୁଣ୍ଡରେ ଗତକାଲି ଜଣେ ମତ୍ସ୍ୟଜୀବୀ ଜାଲ ଟାଣିବା ବେଳେ ତାହା ଅଧିକ ଓଜନ ଲାଗିଥିଲା । ଏହାପରେ ୫ରୁ ୬ ଜଣ ମତ୍ସ୍ୟଜୀବୀ ମିଶି ଉକ୍ତ ଜାଲକୁ ଟାଣି କୂଳକୁ ଆଣିଥିଲେ ।

ଜାଲରେ ଏକ ବିଶାଳକାୟ ମାଛ ଉପରକୁ ଆସିଥିଲା । ପାଣିରୁ ଉପରକୁ ଆଣିବା ପରେ ଏହା ଏକ ବୁଧିଆ ମାଛ ବୋଲି ଜଣାପଡ଼ିଥିଲା । ପରେ ୨ ଜଣ ମତ୍ସ୍ୟଜୀବୀ ମାଛକୁ କାନ୍ଧେଇ କୂଳକୁ ନେଇ ଯାଇଥିଲେ । ଏତେ ବଡ ମାଛକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ପରେ ଏକ ହୋଟେଲ ମାଲିକ ମାଛ ଟିକୁ କିଣି ନେଇଥିଲେ । ବିକ୍ରି ବେଳେ ଏହାକୁ ଓଜନ କରାଯାଇଥିଲା । ଯାହା ୬୦ କେଜିରୁ କିଛି ଅଧିକ ଥିଲା ।