ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଙ୍କ ସୁବର୍ଣ୍ଣ ପୁର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ


ସୋନପୁର : (ସୌମିତ୍ରି ମେହେର) ପ୍ରଶାସନ କୁ ଲୋକାଭିମୁଖୀ କରିବା ସହିତ ଜନସାଧାରଣଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ସଙ୍ଗେ ନ୍ୟାୟ ପ୍ରଦାନ ପାଇଁ ଆଜି ଓଡିଶା ର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ସୁବର୍ଣ୍ଣପୁର ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର କାର୍ଯ୍ୟlବଳି ର ସମୀକ୍ଷା କରିଥିଲେ l ତାଙ୍କ ସହିତ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ , ବିରାମହାରାଜପୁର ବିଧାୟକ ରଘୁନାଥ ଜଗଦଲା , ଅଧ୍ୟକ୍ଷା ଜିଲ୍ଲା ପରିଷଦ ସୁପାର ଠେଲା ପ୍ରମୁଖ ଉପସ୍ଥିତ ଥିଲେ l ଭାରପ୍ରାପ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ସମସ୍ତ ଅତିଥି ଙ୍କୁ ସ୍ୱାଗତ କରି ଉପଢୌକନ ଓ ରୋପଣଯୋଗ୍ୟ ବୃକ୍ଷ ପ୍ରଦାନ କରି ସମ୍ମାନିତ କରିଥିଲେ l ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଏହା ହେଉଛି ଜନସାଧାରଣଙ୍କ ସରକାର l ସମସ୍ତ ଅଧିକାରୀ ନିସ୍ଵାର୍ଥପର ଭାବରେ ଲୋକମାନଙ୍କୁ ସରକାରଙ୍କ ପ୍ରଦତ୍ତ ସମସ୍ତ ସୁବିଧାସୁଯୋଗ ତତ୍ପରତାର ସହିତ ଯୋଗାଇଦେବେ l ସମୟବଦ୍ଧ ହିସାବରେ ଜନସାଧାରଣଙ୍କ ସମସ୍ତ ଆପତ୍ତି ଅଭିଯୋଗର ସମାଧାନ ନିଶ୍ଚିତ ଭାବରେ କରିବେ l କୃଷି ବିଭାଗର କାର୍ଯ୍ୟ ର ସମୀକ୍ଷା ବେଳେ ଜିଲ୍ଲା କୃଷି ଅଧିକାରୀ ଡ଼ଃ ବିଭୁତି ଭୂଷଣ ମିଶ୍ର ଜିଲ୍ଲାରେ ଧାନ , କପା , ଡାଲିଜାତୀୟ ଫସଲ , ତୈଳବୀଜ ଚାଷର ପରିସ୍ଥିତି ଓ ଏହାର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଥିଲେ l ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ର ଲାଭ ସମସ୍ତ ଚାଷି ମାନଙ୍କୁ ପହଞ୍ଚାଇବା ସହିତ ବିଗତ ଦିନର ବୀମା କ୍ଳେମ ସବୁର ଶୀଘ୍ର ସମାଧାନ କରିବା ପାଇଁ ତାଗିଦ କରିଥିଲେ l ଜମିରେ ରାସାୟନିକ ସାର ଓ କୀଟନାଶକ ପରିବର୍ତ୍ତେ ଜୈବିକ କୃଷି କୁ ଅନୁସରଣ କରିବା ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନିର୍ଦେଶ ଦେଇଥିଲେ l କୃଷକ ମାନଙ୍କ ସୁବିଧା ନିମନ୍ତେ ଏଇ ସରକାର ଅତିଶୀଘ୍ର ସମସ୍ତ ଜିଲ୍ଲା ଏବଂ ସବଡ଼ିଭିଜନ ସ୍ତରରେ ଶୀତଳ ଭଣ୍ଡାର ଖୋଲିବାର ଯୋଜନା କରୁଛନ୍ତି ବୋଲି କହିଲେ l ସମ୍ୱନ୍ୱିତ କୃଷି ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକ ହିତାଧିକାରୀ ସୃଷ୍ଟିକରି ସେମାନଙ୍କୁ ମିଳିତ ଭାବରେ ବିଭିନ୍ନ ଫସଲ ସହିତ ଉଦ୍ୟାନ କୃଷି , ପଶୁପାଳନ , ମାଛଚାଷ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ କହିଥିଲେ l ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗକୁ ସମସ୍ତ ପ୍ରକଳ୍ପ ଗୁଡିକ ସମୟ ସୀମା ମଧ୍ୟରେ ଶେଷ କରି ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଶୀଘ୍ର ଯୋଗାଇଦେବା ପାଇଁ ନିର୍ଦେଶ ଦେଇଥିଲେ l କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ଅରୁଣ କୁମାର ଜ୍ୟୋତିର୍ମୟ ଙ୍କୁ ଜିଲ୍ଲାରେ ଥିବା ସମସ୍ତ ଅଚଳ ଜଳସେଚନ ପ୍ରକଳ୍ପ ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦେଶ ଦେଇଥିଲେ l ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ ଓ ରୁରାଲ ୱାର୍କ୍ସ ଯନ୍ତ୍ରୀ ଙ୍କୁ ଜିଲ୍ଲାରେ ନିର୍ମାଣଧୀନ ସମସ୍ତ ରାସ୍ତା କାମ କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶୀଘ୍ର ସାରିବା ପାଇଁ କହିଥିଲେ l ସୋନପୁର ଡୁଙ୍ଗୁରିପାଲି ରାସ୍ତା କାମର ମନ୍ଥରତା ପାଇଁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ l ମେଗା ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ର ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାର କୌଣସି ଗୋଟିଏ ବି ପ୍ରକଳ୍ପ ଶତ ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ତାଗିଦ କରିଥିଲେ l ତେଲ ନଦୀ ଅବବାହିକା ନିର୍ବାହୀ ଯନ୍ତ୍ରୀଙ୍କୁ ସମସ୍ତ ଜଳସେଚନ ପ୍ରକଳ୍ପ ର ଜଳ ଯେମିତି କେନାଲ ର ଶେଷମୁଣ୍ଡ ପର୍ଯ୍ୟନ୍ତ ପହଂଚି ପାରିବ ତାହାକୁ ସୁନିଶ୍ଚିତ କରିବା ପାଇଁ କହିଥିଲେ l ଏହାସହିତ ସାଟେଲାଇଟ ମାପିଂ ଓ ରବର ବେରେଜ ପରି ଅତ୍ୟାଧୁନିକ ଟେକ୍ନୋଲୋଜି ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଦୁର୍ଗା ଦାଶ ଙ୍କୁ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଉପଲବ୍ଧି ଏବଂ ବିଭାଗରେ ଖାଲି ପଡିଥିବା ପଦ ପଦବୀ ସମ୍ବନ୍ଧରେ ପଚାରି ବୁଝିଥିଥିଲେ l ଜିଲ୍ଳା ମୁଖ୍ୟ ଡାକ୍ତରଖାନା ର ବିଭିନ୍ନ ଉପକରଣ ର କାର୍ଯ୍ୟ କାରିତା ସହିତ ଜଳଯୋଗାଣ , ଅଗ୍ନି ନିର୍ବାପକ ସମସ୍ୟା ଓ ସେହି ସ୍ଥାନର ପାର୍ଚ୍ଚା ସମ୍ବନ୍ଧରେ ଆଲୋଚନା କରିଥିଲେ l ଜିଲ୍ଳା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଜିଲ୍ଲାରେ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଜିଲ୍ଲାର ଜଣେ ବି କୃଷକ ଯେମିତି ଧାନ ବିକିବାରୁ ବଞ୍ଚିତ ହେବେନାହିଁ ଏବଂ ୪୮ ଘଣ୍ଟା ମଧ୍ୟରେ ନିଜର ବିକ୍ରୟ ପ୍ରାପ୍ୟ ପାଇବା ସହିତ ଦଲାଲି ରାଜ ର ଅନ୍ତ, କଟନୀ ଛଟନି ବନ୍ଦ ପ୍ରତି ଯତ୍ନବାନ ହେବାକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ସିଂ ଦେଓ ପରାମର୍ଶ ଦେଇଥିଲେ l ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ତାଙ୍କ ବିଭାଗ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିଥିଲେ l ଉଦ୍ୟାନକୃଷି ଉପନିର୍ଦେଶକ ଙ୍କୁ ଜିଲ୍ଲାରେ ହାଇବ୍ରିଡ଼ ପନିପରିବା ବଦଳରେ କମ ସାର ଏବଂ କୀଟନାଶକ ପ୍ରୟୋଗକରି ଦେଶୀ ପନିପରିବା ଚାଷ କରିବା ପାଇଁ କୃଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ କହିଥିଲେ l ଜିଲ୍ଳା ଜଙ୍ଗଲ ଅଧିକାରୀ ଙ୍କୁ ବ୍ୟାପକ ବନିକରଣ କରିବା ସହିତ ବାଉଁଶ ଚାଷ କୁ ପ୍ରୋତ୍ସାହନ ଦେବା ପାଇଁ ନିର୍ଦେଶ ଦେଇଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଅପରାଧ ରୋକିବା ସହିତ ବିଶେଷତଃ ମହିଳା ଏବଂ ଶିଶୁ ମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ l ସମସ୍ତ ଥାନା ଅଧିକାରୀ ମାନଙ୍କୁ ସମସ୍ତ ଅଭିଯୋଗ ର ତୁରନ୍ତ ପଞ୍ଜିକରଣ କରି ଏଫ ଆଇ ଆର କପି ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ l ଏହି ସମୀକ୍ଷା ବୈଠକରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ଓ ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମଧ୍ୟ ଅଧିକାରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରାଇଥିଲେ l ଉପମୁଖ୍ୟମନ୍ତ୍ରୀ କହିଲେ ଯେ ସରକାର ବଦଳିବା ସହିତ ସରକାରଙ୍କ କାର୍ଯ୍ୟଶୈଳୀ ମଧ୍ୟ ବଦଳି ଯାଇଛି l ଏବେ ସମସ୍ତ ଲୋକ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ରହିବେ l କୌଣସି ବିଭାଗର କର୍ମକୁଣ୍ଠତା କୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ l ଆମେ ସମସ୍ତେ ମିଳିମିଶି ଜନତା ଜନାର୍ଦନ ଙ୍କ ସେବା କରିବା l ଆଜିର ଏହି ସମୀକ୍ଷା ବୈଠକରେ ଆରକ୍ଷୀ ଅଧିକ୍ଷକ ବଲାଙ୍ଗୀର ଡି ରିଷିକେଶ ଖିଲାରୀ , ଭାରପ୍ରାପ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର ନାୟକ, ଏ ପି ଡି ପଲ୍ଲବୀ ରାଜ , ଉପଜିଲ୍ଲାପାଳ ସୋନପୁର ସୁରଜ ପଟ୍ଟନାୟକ , ଉପଜିଲ୍ଲାପାଳ ବିରାମହରାଜପୁର ଲଲାଟେନ୍ଦୁ ସି , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଗଣ ଉପସ୍ଥିତ ଥିଲେ l