Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରଥ ନାଏକ ହତ୍ୟା ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଗ୍ରାମର ସୁରଥ ନାଏକ (୫୫) ହତ୍ୟା ଘଟଣାରେ ଶୁକ୍ରବାର ପୁଲିସ ପକ୍ଷରୁ ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ଅଭିଯୁକ୍ତ ଫୁଲଚରା ଗ୍ରାମର ନିରାକାର ଖଣ୍ଡାୟତ (୪୫)କୁ ଶୁକ୍ରବାର ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ଘଟଣାର ସିନ-ରିକ୍ରିଏସନ୍ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ପୂର୍ବରୁ ଥିବା ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସ୍ପଷ୍ଟ କରିଛି । ଘଟଣା ସମ୍ପର୍କରେ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ଏସଡିପିଓ ବାସୁଦେବ ଛତ୍ରିଆ ସବିଶେଷ ସୂଚନା ଦେଇଥିଲେ । ମୃତକ ସୁରଥଙ୍କୁ ଗାମୁଛାରେ ଭିଡ଼ି ଅଭିଯୁକ୍ତ ନିରାକାର ହତ୍ୟା କରିବା ସହ ପିନ୍ଧିଥିବା ଗାମୁଛା ଓ ଲୁଙ୍ଘିକୁ ଅନ୍ୟ ଏକ ସ୍ଥାନରେ ଲୁଚେଇ ଦେଇଥିବା ଓ ମୃତକଙ୍କୁ ସେଠାରେ ଥିବା ଏକ କୂଅରେ ପକାଇ ଦେଇଥିବା ସେ ସୂଚନା ଦେଇଥିଲେ । ଅଭିଯୁକ୍ତଙ୍କ ଝିଅ ବବିନାକୁ ମୃତକଙ୍କ ପୁତୁରା ସୁବାସ ନାଏକ ନେଇଯାଇଥିବାରୁ ମଧ୍ୟ ଉଭୟ ପରିବାର ମଧ୍ୟରେ ବିବାଦ ରହିଥିଲା ଓ ଏହା ମଧ୍ୟ ଏକ କାରଣ ବୋଲି ସେ ସୂଚନା ଦେଇଥିଲେ । ଘଟଣା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରୁ ସୁରଥ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବାକୁ ଯାଇ ସ୍ଥାନୀୟ ହରିହର ଯୋର ନିକଟରୁ ତାଙ୍କ ଚପଲ ଓ ଘୋଷାଡି ନେଇଥିବାର ଚିହ୍ନ ଦେଖିଥିଲେ। ପରିବାର ଲୋକେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ଅପହରଣ କିମ୍ବା ହତ୍ୟା କରାଯାଇଥିବା କଥା ସନ୍ଦେହ ପ୍ରକାଶ କରିଥିଲେ। ମୃତ ସୁରଥ ନାଏକଙ୍କ ପୁତ୍ର ଦୟାନିଧି ନାଏକଙ୍କ ଅଭିଯୋଗକୁ ଭିତ୍ତିକରି ରାତ୍ରୀ ପ୍ରାୟ ୨ଟା’ ସମୟରେ ଥାନାରେ ମାମଲା (୨୨୦/୨୪) ରୁଜୁ ହୋଇଥିଲା। ଅଭିଯୋଗରେ ବିଜେଡ଼ି ଦଳର ଜଣେ ଆଗ ଧାଡ଼ିର ନେତା ନୂଆଗଡ ଗ୍ରାମର ରଞ୍ଜିତ ରଥ , ଫୁଲଚରା ଗ୍ରାମର ନିରାକାର ଖଣ୍ଡାୟତ (୪୫) ଓ ଶୋଭାକର ଖଣ୍ଡାୟତ ସୁରଥକୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୀଡ଼ିତ ପରିବାରକୁ ଶୀଘ୍ର ନ୍ୟାୟ ପ୍ରଦାନ ଓ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ତାଙ୍କ ପରିବାର, ଗ୍ରାମବାସୀ ଓ ବିଜେପି କର୍ମୀ ଗୁରୁବାର ସକାଳୁ ପ୍ରାୟ ୬ ଘଣ୍ଟା ଧରି ରାସ୍ତାରୋକ ମଧ୍ୟ କରିଥିଲେ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ସେହି ବାଟଦେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ସମୟରେ ପରିବାର ଲୋକେ ତାଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଶୀଘ୍ର ଘଟଣାର ଉପଯୁକ୍ତ ଅନୁସନ୍ଧାନ କରିବା ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ଓ ତାହା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ତେଣେ ବହୁତ ଖୋଜାଖୋଜି ପରେ ଅପରାହ୍ନରେ ସୁରଥଙ୍କ ମୃତଦେହ ଫୁଲଚରା ଗ୍ରାମଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ହରିହର ଯୋର ମୁହାଣ ନିକଟରେ ଥିବା ଏକ କୂଅରୁ ମୃତଦେହ ଉଦ୍ଧାର ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଥାନା ଅଧିକାରୀ ଶୋଭାକର ସେଠ ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ଜଣାଯାଇଛି। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ