ବଢିବ ପ୍ରଣବ ପ୍ରକାଶ ଦାସଙ୍କ ଅଡୁଆ, ବ୍ୟକ୍ତିଗତ କର୍ମଚାରୀଙ୍କ ନାଁରେ ଶହ ଶହ କୋଟିର ସଂପତ୍ତି, ତଦନ୍ତ କରିବ ଭିଜିଲାନ୍ସ !


ଭୁବନେଶ୍ୱର: ବଢିଲା ପ୍ରଣବ ପ୍ରକାଶ ଦାସଙ୍କ ଅଡୁଆ । ବିଜେଡିର ସଂଗଠନ ସଂପାଦକ ରହିଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ କଳା କାରନାମାର ତଦନ୍ତ କରିପାରେ ଭିଜିଲାନ୍ସ । ବବିଙ୍କ କିଛି ଖାସ୍ କର୍ମଚାରୀଙ୍କ ନାଁରେ ୩୦ରୁ ଅଧିକ କମ୍ପାନୀ ରହିଥିବା ଅଭିଯୋଗ ହୋଇଛି । ବ୍ୟକ୍ତିଗତ କର୍ମଚାରୀ ପ୍ରକାଶଙ୍କ ନାଁରେ ରହିଛି କୋଟି କୋଟି ଟଙ୍କାର ସଂପତ୍ତି । ଯାହା ବବିଙ୍କୁ ଅଧିକ ଅଡୁଆରେ ପକାଇପାରେ ।

କ୍ଷମତାରେ ଥିବା ବେଳେ ବବି ସବୁ ଆଇନ ତନ୍ତ୍ର ଦଳି ମକଚି ଦୁର୍ନୀତି ଉପରେ ଦୁର୍ନୀତି କରି କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । କ୍ଷମତା ଯିବା ପରେ ବବିଙ୍କ ଉପରେ ଚଡକ ପଡିଛି । ପ୍ରଥମେ କ୍ୱାର୍ଟରରେ କେଳେଙ୍କାରୀ ଏବଂ ଏବେ ବବିଙ୍କ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କାର ସଂପତ୍ତି ମାମଲା ସାମ୍ନାକୁ ଆସିଛି । ପ୍ରଶ୍ନ ଉଠୁଛି ବିଜେଡିର ସଂଗଠନ ସଂପାଦକ ଥାଇ ବବି ଏତେ ଟଙ୍କା ଆଣୁଥିଲେ କେଉଁଠୁ । କୋଭିଡ ଭଳି ମହାମାରୀ ସମୟରେ ସମଗ୍ର ଦେଶର ଆର୍ଥିକ ସ୍ଥିତି ବିଗିଡିଥିବା ବେଳେ ବବିଙ୍କ ଏହି ବିଶ୍ୱସ୍ତ କର୍ମଚାରୀମାନେ ଗୋଟିଏ ପରେ ଗୋଟିଏ କମ୍ପାନୀର ମାଲିକ ହୋଇ ଚାଲିଥିଲେ । ବବିଙ୍କ ଡାହାଣ ହାତ କୁହାଯାଉଥିଗବା ପ୍ରକାଶ ମହାନ୍ତି୨୦୨୧ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୩ଟି କମ୍ପାନୀ ରାଇଡର୍ସ ମିନେରାଲ ପ୍ରାଇଭେଟ୍ ଲିମିଟେଡ୍‌, ରାଇଡର୍ସ ଲଜିଷ୍ଟିକ ଲିମିଟେଡ୍ ଏବଂ ଅରିଭିଲା ପ୍ରପର୍ଟିଜି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ମାଲିକ ସାଜିଥିବା ଚର୍ଚ୍ଚା ହେଉଛି ।

କର୍ମଚାରୀଙ୍କୁ ଦରମା ୨୦ରୁ ୩୦ ହଜାର ଟଙ୍କା । ହେଲେ ଏତେ କମ ଦରମାରେ କୋଟି କୋଟି ଟଙ୍କାର ମାଲିକ କେମିତି ହେଲେ ? କିଏ ଦେଉଥିଲା ଏତେ ଟଙ୍କା ? ସେହିଭଳି ବବିଙ୍କ ଅଫିସରେ କାମ କରୁଥିବା ଚିନ୍ମୟ ଦାସଙ୍କ ନାମରେ ୫ଟି କମ୍ପାନୀ ରହିଛି । ଭିଗ୍ରୋ ଆଗ୍ରୋ ପ୍ରାଇଭେଟ୍ ଲିମିଟେଡ, ଭିଗ୍ରୋ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ, ମୟୂରଭଞ୍ଜ ଗ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ, ଅଫିସ ଏଗ୍ରି ଟେକ୍ ପ୍ରାଇଭେଟ୍ ଲିମି୯ଟେଡ୍ ଓ ଜି କନେକ୍ସନ ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ ଭଳି କମ୍ପାନୀ ରହିଛି । ଏଥିରୁ ଦୁଇଟି କମ୍ପାନୀ ଗତ ବର୍ଷ ନଭେମ୍ବରରେ ଏବଂ ଦୁଇଟି କରୋନା ମହାମାରୀ ସମୟରେ ତିଆରି ହୋଇଛି ।

ସୁବ୍ରତ ଛାଟୋଇଙ୍କ ନାଁରେ ମଧ୍ୟ ନଅଟି କମ୍ପାନୀ ରହିଛି । ଏଥିରୁ କିଛି କମ୍ପାନୀରେ ବବିଙ୍କ ବ୍ୟକ୍ତିଗତ କର୍ମଚାରୀ ମଧ୍ୟ ନିର୍ଦ୍ଦେଶକ ଥିବା ଜଣା ପଡିଛି । ମାହାଙ୍ଗା ସାହାପୁରର ପ୍ରକାଶ ମହାନ୍ତି ୭୦୦ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ସଂପତ୍ତିର ମାଲିକ ହୋଇଥିବା ଜଣା ପଡିଛି । ୭ଟି ବିଳାସପୂର୍ଣ୍ଣ ଗାଡି ଏବଂ ଅନେକ ଫ୍ଲାଟ କିଣିଥିବା ଅଭିଯୋଗ ହୋଇଛି । ବବି ଏବଂ ତାଙ୍କର ଅନୁଗତମାନେ ୧୫୦୦ରୁ ଅଧିକ କୋଟି ଟଙ୍କାର ସଂପତ୍ତି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ତେଣୁ ଏସବୁ ତଦନ୍ତ କରାଯାଇ ପର୍ଦ୍ଦାଫାଶ କରାଯାଉ ବୋଲି ଦାବି ହୋଇଛି । ଖୋଲିବ କି ଏସବୁ ଦୁର୍ନୀତିର ପେଡି ? କାହା ଇସାରାରେ ହେଉଥିଲା ଏସବୁ କାମ ? ସତ ସାମ୍ନାକୁ ଆସିବା କଣ ହେବ କାର୍ଯ୍ୟାନୁଷ୍ଠାନ ? ସବୁ ଘଟଣାର ପର୍ଦ୍ଦାଫାଶ କରିବ କି ଭିଜିଲାନ୍ସ । ଏବେ ଏସବୁ ପ୍ରଶ୍ନ ଜନତାଙ୍କ ମନରେ ଉଙ୍କି ମାରିଛି ।