ପୁରୀ: ସମସ୍ତ ନୀତିକାନ୍ତି ପରେ ଶରଧାବାଲିରେ ଗଡ଼ିଲା ରଥ । ପ୍ରଥମେ ବଡ଼ ଠାକୁର, ପରେ ଦେବୀ ସୁଭଦ୍ରା ଏବଂ ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଆଣମ୍ଭ ହୋଇଛି । ଲକ୍ଷ ଲକ୍ଷ ଭକ୍ତ ତିନିଠାକୁରଙ୍କ ରଥକୁ ଶ୍ରଦ୍ଧାରେ ଶ୍ରୀମନ୍ଦିର ଆଡକୁ ଟାଣି ନେଉଛନ୍ତି ।
ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା । ସୁରକ୍ଷା ବଳୟ ଭିତର ଭକ୍ତମାନେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥକୁ ଆଗକୁ ଆଗକୁ ଟାଣି ନେଇଥିଲେ । ରଥ ଯାଇ ମାଉସୀ ମାଆ ମନ୍ଦିର ପାଖରେ ଅଟକିଛି ।
ପଛରେ ଦେବୀ ସୁଭଦ୍ରାଙ୍କ ରଥକୁ ଭକ୍ତମାନେ ଟାଣି ଟାଣି ଆଣିଥିଲେ । ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ମାଉସୀ ମାଆ ମନ୍ଦିର ପାଖରେ ପହଞ୍ଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହୋଇଥିଲା ।
ଆଗରେ ବଡ଼ ଭାଇ ଓ ପରେ ପରେ ଭଉଣୀ । ନିଜ ନିଜ ରଥରେ ବସି ଆଗକୁ ମାଡ଼ିଗଲେଣି । ଆଉ ଶରଧାବାଲିରେ ଅଟକି ରହବିକୁ ନାହିଁ ଜଗାର ମନ । ସେପଟେ ମାଉସୀ ପୋଡ଼ପିଠା ତିଆରି କରି ଅନାଇ ବସିଛି । ପହଞ୍ଚିବା ପରେ ଶ୍ରଦ୍ଧାରେ ଦେବେ ଖାଇବାକୁ । ଏମିତି ଚିନ୍ତା ଜଗା ମନକୁ ବ୍ୟାକୁଳ କରୁଥିବା ବେଳେ ଶରଧାବାଲିରେ ଭକ୍ତ ମନ ବି ଅଥୟ । ହାତ ଟେକି ଦେଇ ଜଗାର ରଥ ଗଡ଼ିବାକୁ ଅନାଇ ବସିଥିଲେ । ଆଉ ଡାହୁକର ଡାକରେ ଯେତେ ବେଳେ ନନ୍ଦିଘୋଷ ଗଡ଼ିଥିଲା, ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଯାଇଥିଲା ଶ୍ରୀକ୍ଷେତ୍ର । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଗଗନପବନରେ ଖେଳି ଯାଇଛି ଭକ୍ତିମୟ କରିବେଶ । ଘର ଘର ନାଦ କରି ଆଗକୁ ଆଗକୁ ବଢ଼ି ଚାଲିଛି ନନ୍ଦିଘୋଷ ।
ପ୍ରାୟ ଏକ ଘଣ୍ଟା ପୂର୍ବରୁ ଜନ୍ମବେଦୀରେ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ଆସି ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ରଥରେ ତିନିଠାକରୁଙ୍କ ନୀତିକାନ୍ତି ସରିବା ପରେ ଗଜପତି ମହାରାଜ ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଛି ରଥଟଣା ।