ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କୋଟ୍ ସମଲାଇ ସ୍ଥିତ ପବିତ୍ର ପିଠ ଶ୍ରୀ ପାତାଳୀ କ୍ଷେତ୍ର ରେ ଆଜି ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ଠାରୁ ନଅ ଦିନ ଧରି ମାଉସୀ ମା ଘରକୁ ଯାଇ ବାହୁଡା ଯାତ୍ରାରେ ଫେରିଲେ ଠାକୁର । ଆଡପ ମଣ୍ଡପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯିବା ପରେ ଧାଡ଼ି ପହଣ୍ଡି ରେ ରଥାରୂଢ଼ କରାଯାଇଥିଲା । ଆଡ଼ପ ମଣ୍ଡପରେ ସକାଳୁ ମଙ୍ଗଳ ଆଳତି, ଖେଚୁଡ଼ି ଭୋଗ , ହୋମ , ବେଶ ଆଦି ନୀତିକାନ୍ତି ସମ୍ପାଦନ କରାଯାଇଥିଲା । ପୂର୍ବାହ୍ନ ୧୦ଟାରେ ଧାଡ଼ି ପହଣ୍ଡି , ଅପରାହ୍ନ ୧ଟାରେ ଛେରାପହଁରା , ୨ଟାରେ ରଥଟଣା ନୀତି ହୋଇଥିଲା । ରଥଟଣା ପରେ ଛୋଟ ଛୋଟ ଛୁଆଁଙ୍କ ରଥ ଛୁଆଁ ନୀତି ଅନୁଷ୍ଠିତ ହୋଇଥିଲା । ଛେରାପହଁରା ଗାଁ ର ଗଡତ୍ୟା ଚମରା ଅମାତ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ପୂଜକ ଭାବରେ ଦେବାର୍ଚ୍ଚନ ଦାଶ , ଗୁଣାକର ପଣ୍ଡା ଓ ବିଶେଶ୍ଵର ପାଢୀ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଭକ୍ତ ତଥା ଶ୍ରଦ୍ଧାଳୁ ଜିଲ୍ଲା ବାହାରୁ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଲାଭ କରିଥିଲେ।