କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣାରେ ୫ ଗିରଫ


ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫାଶିଗୁଡା ଗାଁରେ କରେଣ୍ଟ ଲାଗି ୧୯ ଜଣ ଶିଶୁ ଆହତ ଘଟଣାରେ ପୋଲିସର ଆକ୍ସନ । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପରିଚାଳନା କମିଟିର ସଭାପତି ଶିବରାମ ବିଷୋୟୀ, ରାଜେନ୍ଦ୍ର ଦୋରା, ଶିବରାମ ବେହେରା, ରବୀନ୍ଦ୍ର କୁମାର ସାହୁ ଏବଂ ବିଜୟ କୁମାର ରାଉଳ । ନାଟକ ପରିବେଷଣରେ ବ୍ୟବହୃତ ସମସ୍ତ ବିଦ୍ୟୁତ ସରଞ୍ଜାମ, ଡିଜେ ବକ୍ସ ଓ ଏକ ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି । 

ସୂଚନାଯୋଗ୍ୟ, ରବିବାର ଦିନ ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଗାଁରେ ରାମାୟଣ ନାଟକ ପରିବେଷିତ ହୋଇଥିଲା । ନାଟକକୁ ଦେଖିବାକୁ ଗାଁର ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଆସିଥିଲେ । ନାଟକ ପରିବେଶଣ ବେଳେ ବର୍ଷା ହୋଇଥିଲା । ଆଗରେ ବସିଥିବା ଶିଶୁମାନେ ବର୍ଷାରୁ ରକ୍ଷା ପାଇବାକୁ ଷ୍ଟେଜ ତଳେ ପଶିଯାଇଥିଲେ । ତେବେ ଷ୍ଟେଜ୍ ତଳେ ବର୍ଷା ପାଣି ଜମି ତାହା ଆର୍ଥି ହୋଇଯାଇଥିଲା । ଫଳରେ ୧୯ ଜଣ ଶିଶୁ କରେଣ୍ଟ ଲାଗି ଆହତ ହୋଇଥିଲେ । ସମସ୍ତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଅଘଟଣ ଘଟିବା ପରେ ଦିଗପହଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ନାଟକ ପରିବେଷଣ ସମୟରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଥିବା ଜଣାପଡ଼ିଥିଲା । ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫ ଜଣଙ୍କୁ ଗିରଫ କରିଛି ।