Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପନିର୍ବାଚନ ହେଲେ ବିଜେଡି ଜିତିବ ୮ରୁ ୧୦ ଲୋକସଭା ସିଟ୍‌ ! ଏମିତି ରହିଛି ଆଗାମୀ ଦିନର ରାଜନୈତିକ ସମୀକରଣ

ଭୁବନେଶ୍ୱର: ରାଜ୍ୟରେ ବିଜେପି ନେତୃତ୍ୱାଧିନ ମୋହନ ମାଝୀ ସରକାରକୁ ମାସେ ପୂରିଲାଣି । ସରକାର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ଦିଗରେ ପଦକ୍ଷେପ ନେଉଛନ୍ତି । କିଛି ପୂରଣ ହୋଇଥିବା ବେଳେ ଅନେକ କିଛି ବାକି ରହିଛି । କିନ୍ତୁ ନିର୍ବାଚନ ବେଳେ ପୂର୍ବର ବିଜେଡି ସରକାରରେ ହୋଇଥିବା ଯେତେ ସବୁ ଦୁର୍ନୀତି ଓ ଭ୍ରଷ୍ଟାଚାରର ଖୋଳତାଡ ଦିଗରେ ପୁରା ଉଦାସୀନତା ରହିଛି ମୋହନ ମାଝୀ ସରକାର । ଓଲଟା ବିଜେଡି ସରକାରରେ ଦଳୀୟ କାମ କରୁଥିବା ଆଇପିଏସ ଓ ଆଇଏଏସ ମାନଙ୍କୁ ବିଜେପି ସରକାର ଥଇଥାନ କରୁଛି । ମୋହନ ମାଝୀ ସରକାରର ଏହି ଆଭିମୁଖ୍ୟ ଆଗାମୀ ଦିନରେ ଦଳ ପାଇଁ ବୁମେରାଂ ମଧ୍ୟ ପାଲଟିପାରେ । କାରଣ ସଂପ୍ରତି ରାଜନୈତିକ ଦୃଶ୍ୟପଟ୍ଟ ଆଗାମୀ ସମୟରେ କେଉଁ ମୋଡ ନେବ ତାହା କହିହେବ ନାହିଁ । ବିଶେଷ କରି ଜାତୀୟ ରାଜନୀତିର ସମୀକରଣ ରାଜ୍ୟ ରାଜନୀତିକୁ ବହୁତ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

କେନ୍ଦ୍ରରେ ମଧ୍ୟ ବିଜେପିର ସ୍ଥିତି ସେତେଟା ଭଲ ନୁହେଁ । ଦଳ ୨୦୧୯ ନିର୍ବାଚନ ତୁଳନାରେ ୬୦ଟି ସିଟ୍ ହରାଇ ଏନଡିଏ ଭରସାରେ ବିଶେଷ କରି ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାରଙ୍କ ଭରସାରେ ଚାଲିଛି । ଜଣା ନାହିଁ ଏହି ଦୁଇ ନେତା କେବେ ପଲଟିଯିବେ । କାରଣ ବିରୋଧୀ ଇଣ୍ଡିଆ ମେଣ୍ଟ ଦୃଢ ସ୍ଥିତିରେ ରହିଛି । ତେବେ ଦେଶ ସହ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟ କେଉଁ ଦିଗକୁ ଯିବ ତାହା ଆଗାମୀ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ନିର୍ଭର କରେ । ଆଗାମୀ ୬ ମାସରେ ଦେଶରେ ମହାରାଷ୍ଟ୍ର, ଝାଡଖଣ୍ଡ ଓ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଶେଷ କରି ମହାରାଷ୍ଟ୍ର ନିର୍ବାଚନ ବେଶ ଗୁରୁତ୍ୱ ବହନ କରୁଛି । ଯଦି ଏହି ତିନି ରାଜ୍ୟରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରେ କିମ୍ବା ମହାରାଷ୍ଟ୍ରରେ ସରକାର ଗଢେ ତେବେ ବ୍ୟାକଫୁଟକୁ ଆସିପାରେ ଏନଡିଏ ସରକାର । ଇଣ୍ଡି ମେଣ୍ଟ ଯେତିକି ଦୃଢ ହେବ ସେତିକି ଦଳ ଏହି ମେଣ୍ଟ ଆଡକୁ ଢଳିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ବିଶେଷ କରି ନୀତିଶ କୁମାରଙ୍କ ଟ୍ରାକ ରେକର୍ଡ ଏହା କହୁଛି ।

ଏହି ତିନି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟ ଜିତିଗଲେ କେନ୍ଦ୍ର ରାଜନୀତିରେ ଏମାନଙ୍କ ପଲ୍ଲା ଭାରି ରହିବ । କୌଣସି ସମୟରେ ବି ଏନଡିଏ ସରକାର ଭାଙ୍ଗି ବି ପାରେ । ସେମିତିରେ ବି ଚନ୍ଦ୍ରବାବୁ ନାଇଡୁ ନିଜ ରାଜ୍ୟର ଉନ୍ନତି ପାଇଁ ସ୍ୱତନ୍ତ୍ର ପ୍ୟାକେଜ ସହ ଅନେକ ଦାବି ରଖିଛନ୍ତି । ତେଣୁ ନାଇଡୁ ଓ ନୀତିଶଙ୍କ ସମର୍ଥନରେ ତିଷ୍ଠି ଥିବା ଏନଡିଏ ସରକାର ଉପରେ ସର୍ବଦା ଖଣ୍ଡା ଝୁଲୁଥିବା କହିଲେ ଅତ୍ୟୁକ୍ତି ହେବନି । ଏମିତି ସ୍ଥିତି ଉପୁଜିଲେ କେନ୍ଦ୍ର ସରକାର ସହ ଓଡିଶାରେ ରାଜ୍ୟର ବିଜେପି ସରକାର ମଧ୍ୟ ବ୍ୟାକଫୁଟକୁ ଆସିବ । କାରଣ କେନ୍ଦ୍ର ସରକାରଙ୍କ ଭରସା ହିଁ ଏଠାରେ ସରକାର ଚାଲିଛି । କେନ୍ଦ୍ରର ଦଦୁଲ୍ୟମାନ ସ୍ଥିତିରେ ରାଜ୍ୟର ସମୀକରଣ ବି ବଦଳିଯିବ ।

ଯଦି ଏମିତି ସ୍ଥିତିରେ ଲୋକସଭାର ଉପ ନିର୍ବାଚନ କରାଯାଏ ରାଜ୍ୟରେ ବିଜେଡି ସ୍ଥିତି ପୂର୍ବାପେକ୍ଷା ମଜବୁତ ହୋଇପାରେ । ଦଳ ଲୋକସଭାରେ ୮ରୁ ୧୦ ସିଟ୍ ଜିତିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ଏତେ ସିଟ୍ ଜିତିବା ପଛର କାରଣ ବିଜେପି ହିଁ ରହିଛି । କାରଣ ରାଜ୍ୟ ବିଜେପି ନିର୍ବାଚନ ଜିତିବା ପରେ ବିଜେଡି ନେତାଙ୍କ ବିରୋଧରେ ସେମିତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିନାହିଁ । ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ରାଜ୍ୟର ନେତାମାନେ ଡିଣ୍ଡିମ ପିଟୁଥିଲେ ଯେ, ଏହି ଭ୍ରଷ୍ଟାଚାର ସରକାରର ସବୁ ଦୁର୍ନୀତିର ତଦନ୍ତ ହେବ ଏବଂ କାହାରିକୁ ଛଡାଯିବ ନାହିଁ । ଜମି, ବାଲି, ପାଣି ଏସବୁ ମାଫିଆମାନଙ୍କୁ ଜେଲ ହାଜତକୁ ପଠାଯିବ । ଏପରିକି ପ୍ରଶାସନିକ ପଦରେ ଥାଇ ଯେଉଁମାନେ ବିଜେଡି ପାଇଁ କାମ କରୁଥିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପିର ନେତାଗଣ ରାଲିରେ କହୁଥିଲେ ।

କିନ୍ତୁ ନିର୍ବାଚନ ଜିତିବା ପରେ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଯେଉଁ ଲକ୍ଷ୍ମୀ ବସ ଜରିଆରେ ବିଜେଡି ୧୧୦୦ରୁ ଅଧିକ କୋଟିର ଦୁର୍ନୀତି ହୋଇଥିବା ବିଜେପି କହୁଥିଲା, ସେହି ମୋହନ ମାଝୀ ସରକାର ନାଁ ଓ ରଙ୍ଗ ବଦଳାଇ ଦୁର୍ନୀତିକୁ ଚାପି ଦେଇଥିବା କୁହାଯାଉଛି । ପ୍ରଥମ ଥର ସରକାର ଗଢିଥିବା ବିଜେପି ସରକାର ବିଜେଡି ଏବଂ ଦୁର୍ନୀତି ବିରୋଧରେ ନିଜର ଛବି ତିଆରି ପାରିଲା ନାହିଁ । ଦୁର୍ନୀତିରେ ଛନ୍ଦି ହୋଇ ପଡିଥିବା ଜଣେ ବି ବିଜେଡି ନେତାଙ୍କ ଦୋଷ ପ୍ରମାଣିତ କରି ପାରି ନାହାନ୍ତି । ଯାହାର ସନ୍ଦେଶ ଜନତାଙ୍କ ନିକଟକୁ ଯିବ ଯେ, ବିଜେପି ଦଳ କେବଳ ନିର୍ବାଚନୀ ଭାଷଣବାଜି କରୁଥିଲା । ବିଜେଡି ନେତାଙ୍କ ବିରୋଧରେ ଯେଉଁ ସବୁ ଦୁର୍ନୀତି ହୋଇଥିବା କୁହାଯାଉଥିଲା, ସେଥିରେ ସତ୍ୟତା ନାହିଁ । ଆଉ ଏହାର ଫାଇଦା ବିଜେଡିକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଏହାର କ୍ଷତିର ଭରଣା କରିବା ବିଜେପି ପକ୍ଷେ ମୁସ୍କିଲ ହୋଇ ପଡିବ । ଓଡିଶାବାସୀ ମଧ୍ୟ ଏଥର ନିର୍ବାଚନରେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ସେମାନେ ଆଉ ନେତାଙ୍କ ଭାଷଣବାଜିକୁ ଭରସା କରିବେ ନାହିଁ ଏବଂ କାମ ଆଧାରରେ ଏବଂ ପ୍ରତିଶ୍ରୁତି ପୂରଣ ଆଧାରରେ ଭୋଟ୍ ଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ