ଆଉ ନାହାନ୍ତି ପଦ୍ମଶ୍ରୀ କମଳା ପୂଜାରୀ, ୭୬ ବର୍ଷ ବୟସରେ ପରଲୋକ


କଟକ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ । କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ହୃଦଘାତରେ କମଳା ପୂଜାରୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କିଡନୀ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

୧୬ ତାରିଖ ସନ୍ଧ୍ୟାରେ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ୮ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଥିଲେ । ୧୮ ତାରିଖରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । SCBର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ମେଡ଼ିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡ଼ିସିନ ବିଭାଗର ୪ ଜଣ ଡାକ୍ତରଙ୍କୁ ନେଇ ଏହି ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ସେମାନେ କମଳା ପୂଜାରୀଙ୍କର ଚିକିତ୍ସା କରୁଥିଲେ । 

ଗତ ଦୁଇବର୍ଷ କମଳା ପୂଜାରୀ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ଆଗରୁ ବହୁ ବାର କମଳା ପୂଜାରୀ ଏସସିବି ମେଡିକାଲ ଆସି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିଲେ ।

କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗ୍ରାମରେ କମଳା ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ଥିଲା । ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକଲୋଚନକୁ ଆସିଥିଲେ ।