ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ, ପ୍ରକାଶିତ ଖବରକୁ କହିଲେ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ


ଭୁବନେଶ୍ଵର: ଯେଉଁ ଭିକେ ପାଣ୍ଡିଆନଙ୍କ ପାଇଁ ସାଧାରଣ ନିର୍ବାଚନ ୨୦୨୪ରେ ବିଜୁ ଜନତା ଦଳ ମାଟି କାମୁଡ଼ିଛି ସେହି ପାଣ୍ଡିଆନଙ୍କୁ ପରାଜୟର ଉତ୍ତରଦାୟୀ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ତାଙ୍କ ସପକ୍ଷରେ ସର୍ବଦା ବାହାରି ପଡ଼ଛି। ଏହି କ୍ରମରେ ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜ ଏକ୍ସ ଆକାଉଣ୍ଟରେ ପାଣ୍ଡିଆନଙ୍କ ସପକ୍ଷରେ ନବୀନ ନିଜର ପ୍ରତିକ୍ରିୟା ରଖିଛନ୍ତି।  ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ପ୍ରତିକ୍ରିୟାରେ ମନ୍ତବ୍ୟ ଦେଇଛନ୍ତି। ସେ ପ୍ରକାଶିତ ଉକ୍ତ ଖବରକୁ ମିଥ୍ୟା ଉଦ୍ଦେଶ୍ୟ ପ୍ରଣୋଦିତ କହିବା ସହ ପାଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି।

ନବୀନ ଏକ୍ସରେ ପ୍ରକାଶିତ ଖବର ସହ ଟୁଇଟ୍ କରି ଲେଖିଛନ୍ତି, ଏହା ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ମାନହାନୀସୂଚକ, ବିଭ୍ରାନ୍ତକାରୀ। ଯାହା ମୁଁ ପୂର୍ବରୁ କହିଛି ମିଷ୍ଟର ପାଣ୍ଡିଆନ ରାଜ୍ୟ ଓ ଦଳର ସେବା କରିଛନ୍ତି। ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି। ତାଙ୍କର ଦକ୍ଷତା ଓ ନିଷ୍ଠା ପାଇଁ ସେ ଜଣାଶୁଣା କହିଲେ ନବୀନ। ପାଣ୍ଡିଆନ ବିଜେଡିକୁ ଭାଙ୍ଗିବା ପାଇଁ ଦିଲ୍ଲୀରେ ଡେରା ପକାଇଥିବା ଖବର ବାହାରିଥିଲା। ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସହାୟତାରେ ଏସବୁ ଚାଲିଥିବା ଖବର ପ୍ରକାଶ ପାଇଥିଲା।

ଏହା ପୂର୍ବରୁ ମଧ୍ୟ ଜୁନ ୮ ତାରିଖରେ ନବୀନ ସାର୍ବଜନୀନ ଭାବେ ଭିକେ ପାଣ୍ଡିଆନଙ୍କ ସପକ୍ଷରେ ମତ ଦେଇଥିଲେ। ନିର୍ବାଚନରେ ବିଜେଡିର ଉଭୟ ବିଧାନସଭା ଓ ଲୋକସଭାରେ ପରାଜୟ ପାଇଁ ବିଜେଡିର ସମର୍ଥକ ଏବଂ ଅନେକ ନେତା ଆଇଏଏସରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। କାରଣ ପାଣ୍ଡିଆନ ନିର୍ବାଚନର ପ୍ରଚାର ଦାୟିତ୍ଵଠୁ ନେଇ ଟିକେଟ୍ ବଣ୍ଟନ ସବୁ ନିଜ ବୁଝୁଥିଲେ। ସେ ମଞ୍ଚରେ ହିଁ ଏକମାତ୍ର ନେତା ଭାବେ ପ୍ରଚାର କରୁଥିଲେ। ତେଣୁ ଦଳର ଅପ୍ରତ୍ୟାଶିତ ପରାଜୟ ପାଇଁ ତାଙ୍କୁ ଦାୟୀ କରାଯାଉଥିଲା। କିନ୍ତୁ ନବୀନ ପାଣ୍ଡିଆନଙ୍କୁ କ୍ଲିନ ଚିଟ୍ ଦେଇଥିଲେ। ଅନ୍ୟପକ୍ଷେ ପାଣ୍ଡିଆନ ନିଜର ପ୍ରତିଶ୍ରୁତି ରକ୍ଷା କରି ପ୍ରତ୍ୟେକ୍ଷ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ।