ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କ୍ଷୁବ୍ଧ ହୋଇ ନୀତି ଆୟୋଗ ବୈଠକରୁ ଅଧାରୁ ଉଠି ଆସିଛନ୍ତି । ତାଙ୍କୁ ବୈଠକରେ କହିବାକୁ ଦିଆଯ।।ଇ ନ ଥିବା ବୋଲି ସେ ଅଭିଯୋଗ କରିଛନ୍ତି । ମମତା କହିଛନ୍ତି, ଯେମିତି ସେ ପଶ୍ଚିମବଙ୍ଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ ପାଣ୍ଠି ମିଳୁଥିବା ପ୍ରସଙ୍ଗ ଉଠାଇଲେ , ମୋ ମାଇକ ବନ୍ଦ କରି ଦିଆଗଲା । ତାଙ୍କ ପୂର୍ବରୁ ଅନ୍ୟ ଲୋକଙ୍କୁ ୧୦ରୁ ୨୦ ମିନିଟ୍ କହିବାକୁ ଦିଆଗଲା । ସେ ବିରୋଧୀ ପକ୍ଷରୁ ଏକମାତ୍ର ମୁଖ୍ୟମନ୍ତ୍ରୀ ଥିଲେ, ଯିଏ ଏହି ବୈଠକରେ ଯୋଗ ଦେଇଥିଲେ । ଏହା ପରେ ବି ତାଙ୍କୁ କହିବାକୁ ଦିଆଗଲା ନାହିଁ । ଏହା ତାଙ୍କ ପ୍ରତି ଅପମାନ ହୋଇଥିବା ମମତା କହିଛନ୍ତି ।
ନୀତି ଆୟୋଗ ବୈଠକରୁ ଅଧାରୁ ଉଠି ଆସିଥିବା ମମତା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କହିଛନ୍ତି, ଏତେ କମ ସମୟ ମୋତେ ମିଳିବା ନେଇ ମୁଁ ବିରୋଧ କରିଥିଲି । ଏହା ପରେ ଉଠି ଆସିଲି । ମୁଁ କେନ୍ଦ୍ର ସରକାରଙ୍କୁ ପଶ୍ଚିମବଙ୍ଗକୁ ମିଳିବାକୁ ଥିବା ବଜେଟ୍ ବିଷୟରେ କହିବା ଆରମ୍ଭ କରିଥିଲି। ଏହାପରେ ମୋ ମାଇକ ବନ୍ଦ କରି ଦିଆଗଲା । ବୈଠକରେ ଏମିତି କରିବା କେବଳ ପଶ୍ଚିମବଙ୍ଗ ନୁହେଁ ସମସ୍ତ ଆଞ୍ଚଳିକ ଦଳ ପ୍ରତି ଅପମାନ । ବୈଠକରେ ଏନଡିଏର ଉତ୍ତମ ସହଯୋଗୀଙ୍କ ସହ ଭଲ ବ୍ୟବହାର କରାଯାଉଛି । ବିରୋଧୀ ଦଳ ପକ୍ଷରୁ ମୁଁ ଏକମାତ୍ର ମୁଖ୍ୟମନ୍ତ୍ରୀ । ମୋ ସହ ଏମିତି ବ୍ୟବହାର ଠିକ୍ ନୁହେଁ ବୋଲି ମମତା କହିଛନ୍ତି ।
ଏହା ପୂର୍ବରୁ ଶୁକ୍ରବାର ମମତା ବାନାର୍ଜୀ କହିଥିଲେ ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଦ୍ୱାରା ସ୍ଥାପିତ ନୀତି ଆୟୋଗ ବଦଳରେ ଯୋଜନା ଆୟୋଗକୁ ପୁଣି ଥରେ ଆରମ୍ଭ କରାଯିବା ଉଚିତ୍ । ନୀତି ଆୟୋଗକୁ ସମାପ୍ତ କରିବା ପାଇଁ ମୁଁ ସ୍ୱର ଉଠାଇ ଚାଲିବି । ନୀତି ଆୟୋଗ ପାଖରେ କୌଣସି ବିତ୍ତୀୟ ଶକ୍ତି ନାହିଁ । ସେମାନେ କେବଳ ବର୍ଷକୁ ନିଜର ଚେହେରା ଦେଖାଇବା ପାଇଁ ବୈଠକ କରୁଛନ୍ତି ।