ମୁଣ୍ଡୁଳିରେ ଫୁଲୁଛି ମହାନଦୀ, ୭ ଜିଲ୍ଲାକୁ ସତର୍କ ସୂଚନା


କଟକ: ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ଫୁଲୁଛି ମହାନଦୀ । କଟକ ମୁଣ୍ଡଳିରେ ବଢୁଛି ଜଳସ୍ତର । ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ମୁଣ୍ଡଳିରେ ପହଞ୍ଚିଛି । ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢିଛି । ଆଜି ହୀରାକୁଦ ଡ୍ୟାମର ଜଳ ପତ୍ତନ ୬୧୪.୮୫ ଫୁଟ ରହିଛି । ଏବେ ଡ୍ୟାମ ମଧ୍ୟକୁ ସେକେଣ୍ଡକୁ ୨ ଲକ୍ଷ ୦୪ ହଜାର ୧୦୩ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୫ ହଜାର ୩୨୬ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ଗତକାଲି ରାତିରୁ ମୁଣ୍ଡଳିରେ ବନ୍ୟାଜଳ ନିଷ୍କାସିତ ହେବା ଆରମ୍ଭ କରିଛି । ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢ଼ିଛି । ବନ୍ୟା ଆଶଙ୍କା ନଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ୭ ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏହି ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ସୁବର୍ଣ୍ଣପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ।

ମହାନଦୀ ଭିତରକୁ ଲୋକ ପ୍ରବେଶ ନକରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି ।