ପୁଣେ: ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାର ଏକ ଜଙ୍ଗଲରୁ ଅସହାୟ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ମହିଳାଙ୍କୁ ଲୁହା ଚେନରେ ଏକ ଗଛ ସହିତ ବନ୍ଧା ଯାଇଥିଲା । କିଛି ଦିନ ହେଲା ସେ ଭୋକ ଉପାସରେ ଥିବାରୁ ଉଭୟ ମାନସିକ ଓ ଶାରୀରିକ ଭାବେ ଦୁର୍ବଳ ହୋଇ ଯାଇଛନ୍ତି । ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ମହିଳାଙ୍କ ନାଁ ଲଳିତା କାଇ ବୋଲି ଜଣାପଡ଼ିଛି । ତାଙ୍କ ପାଖରୁ ଆମେରିକାର ପାସପୋର୍ଟ ମିଳିଛି । ଜଣାପଡୁଛି ସେ ଆମେରିକାର । ତେବେ ତାଙ୍କର ଭିସା ଅବଧି ୧୦ ବର୍ଷ ତଳୁ ସରିଯାଇଛି ।
ମିଳିଥିବା ସୂଚନା ଅନୁସାରେ, ମହିଳା ଜଣଙ୍କ ତାମିଲନାଡୁର ଜଣେ ବ୍ଯକ୍ତିଙ୍କୁ ବିବାହ କରିଥିଲେ । ସନ୍ଦେହ କରାଯାଉଛି ଉକ୍ତ ବ୍ୟକ୍ତି ତଥା ଲଳିତାଙ୍କ ସ୍ବାମୀ ତାଙ୍କୁ ଜଙ୍ଗଲରେ ଏମିତି ବାନ୍ଧି ମରିବା ପାଇଁ ଛାଡ଼ି ପଳାଇଛନ୍ତି ।
ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବ୍ୟକ୍ତି ଲଳିତାଙ୍କ ଅସହାୟ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ତୁରନ୍ତ ଜଙ୍ଗଲରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଛି । ଲଲିତାଙ୍କୁ ଏପରି ଅବସ୍ଥାରେ ଛାଡ଼ି ପଳାଇଥିବାରୁ ସ୍ବାମୀଙ୍କ ନାଁରେ ହତ୍ଯା ଉଦ୍ଯମ ମାମଲା ରୁଜୁ କରି ପୋଲିସ ତାଙ୍କୁ ଖୋଜୁବା ଆରମ୍ଭ କରିଛି । ମହାରାଷ୍ଟ୍ରର ଦୁଇଟି ପୋଲିସ ଟିମ୍ ତାମିଲନାଡୁ ଓ ଗୋଆ ଯାଇଛନ୍ତି । ମହିଳା ଜଣକ ସ୍କ୍ରିଜୋଫେନିଆ ରୋଗରେ ପୀଡ଼ିତ ଥିବା ମଧ୍ଯ ଆଶଙ୍କା କରାଯାଉଛି ।