Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ବିଜେଡି ସରକାର ଅମଳରେ ବହୁ ଧନୀ ଲୋକ ହାତେଇଛନ୍ତି ରାସନକାର୍ଡ

ଭୁବନେଶ୍ୱର: ରାସନକାର୍ଡକୁ ନେଇ ତତ୍କାଳୀନ ବିଜେଡି ସରକାର ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବ ସରକାର ଅମଳରେ ବହୁ ଧନୀ ଲୋକ ବିଜେଡି ନେତାମାନଙ୍କ ଜରିଆରେ ରାସନକାର୍ଡ ହାତେଇଛନ୍ତି ବୋଲି ସେ କହିଛନ୍ତି । ଆଜି ବିଧାନସଭାର ପ୍ରଶ୍ନକାଳରେ ବିଜେଡି ସରକାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ।

ସେ କହିଛନ୍ତି ଯେ, ଏବେ ଆମ ସରକାର ଧନୀ ଲୋକଙ୍କୁ ଚିହ୍ନଟ କରି ରାସନକାର୍ଡରୁ ବାଦ ଦେଉଛନ୍ତି। ଭୂତ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟ ରାସନକାର୍ଡରୁ ବାଦ ଦିଆଯାଉଛି। ଏବେ କୌଣସି ଗରିବ ଲୋକଙ୍କର ରାସନ କାର୍ଡ କଟାଯାଉନାହିଁ। କିମ୍ବା ଗରିବଙ୍କ ରାସନ କାର୍ଡ କଟାଯିବାର ସମ୍ଭାବନା ବି ନାହିଁ। ଯେଉଁ ପରିବାରର ବାପପୁଅ ଅଲଗା ରହୁଥିବେ ଉଭୟଙ୍କୁ ରାସନକାର୍ଡ ଦେବାର ବ୍ୟବସ୍ଥା କରାଯିବ।

ମନ୍ତ୍ରୀ ଏହା ମଧ୍ୟ ହିଛନ୍ତି, ରାଜ୍ୟରେ ଏବେ ସୁଦ୍ଧା ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇଛି। ସରକାର ଏବେ ଆଧାରଭିତ୍ତିକ ଇ-କେୱାଇସି ଲାଗୁ କରିଛନ୍ତି। ଯାହାଫଳରେ ଅଯୋଗ୍ୟ ହିତାଧୀକାରୀଙ୍କ ନାଁ ଆପେ ଆପେ ବାଦ ପଡ଼ିଯିବ। ମୃତକଙ୍କ ନାଁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି। ଏବେ ଯେଉଁମାନେ ଆବେଦନ କରିଛନ୍ତି ତାହାର ଯାଞ୍ଚ କରାଯାଇ ରାସନ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯାଉଛି।

ବିଜେଡି ସରକାରଙ୍କୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାର ସମୟରେ ରାସନ ଡିଲରମାନେ ସବୁ ଖାଇ ଖୋଳ କରି ଦେଇଛନ୍ତି। ଭୋଟ ବେଳେ ସେମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁଥିଲେ। ଯଦି ଏବେ ସେମିତି କେହି ଦୁର୍ନୀତି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ରାସନକାର୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଶାସକ ଓ ବିରୋଧୀ ଏହାକୁ ନେଇ ମୁହାଁମୁହିଁ । ପାଖାପାଖି ୬ ଲକ୍ଷ ଆବେଦନକାରୀ ରାସନକାର୍ଡ ପାଇଁ ଆବେଦନ କରିଛନ୍ତି । ସରକାରଙ୍କ ହିସାବରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ବାଦ୍ ଦିଆଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ