ନୂଆଦିଲ୍ଲୀ: ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସଟି ଛାଡ କରିବାକୁ ଦାବି କରିଛନ୍ତି । ଗଡକରୀ କହିଛନ୍ତି, ଜିଏସଟି ଜୀବନର ଅନିଶ୍ଚିତତା ଉପରେ ଟ୍ୟାକ୍ସ ଲଗାଇବା ପରି ସମାନ । ଏଥିରେ ଏହି ସେକ୍ଟରର ଅଭିବୃଦ୍ଧି ବାଧାପ୍ରାପ୍ତ ହେବ ।
ହିନ୍ଦୁସ୍ଥାନ ଟାଇମ୍ସର ଖବର ଅନୁଯାୟୀ, ନୀତିନ ଗଡକରୀ ସୀତାରମଣଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଆପଣଙ୍କୁ ଅନୁରୋଧ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଜିଏସଟି ଛାଡ କରିବାକୁ ପ୍ରସ୍ତାବ ଦେଉଛି । ଏହାକୁ ପ୍ରାଥମିକତା ଭିତ୍ତିରେ ବିଚାର କରନ୍ତୁ । କାରଣ ଏହା ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସଦୃଶ ରହୁଛି । ସ୍ୱାସ୍ଥ୍ୟ ବୀମା ଉପରେ ୧୮ ପ୍ରତିଶତ ଜିଏସଟି ଏହି କ୍ଷେତ୍ରର ବିକାଶ ପାଇଁ ଏକ ବଡ ବାଧକ । ସ୍ୱାସ୍ଥ୍ୟ ଓ ଜୀବନ ବୀମା ଏକ ସାମାଜିକ ଆବଶ୍ୟକତା । ଏହା ଉପରେ ୧୮ ପ୍ରତିଶତ ଟିକସ ଲଗାନ୍ତୁ ନାହିଁ ।
ସେ କହିଛନ୍ତି, ଜୀବନ ବୀମା ପ୍ରିମିୟମ ଉପରେ ଜିଏସଟି ଲଗାଇବା ଜୀବନର ଅନିଶ୍ଚିତତା ଉପରେ ଟ୍ୟାକ୍ସ ଲଗାଇବା ସହ ସମାନ । ସଂଘର କହିବା କଥା ଯେଉଁ ବ୍ୟକ୍ତି ପରିବାରର କିଛି ସୁରକ୍ଷା ପାଇଁ ଜୀବନର ଅନିଶ୍ଚିତତାକୁ କଭର ଦେଉଛି, ତାହା ଉପରେ ପୁଣି ଜିଏସଟି ଲଗାଇବା ଉଚିତ୍ ନୁହେଁ ।
ଗଡକରୀ ଅର୍ଥମନ୍ତ୍ରୀଙ୍କିୁ ଏହି ଚିଠି ସେହି ସମୟରେ ଲେଖିଛନ୍ତି, ଯେଉଁ ସମୟରେ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟକୁ ନେଇ ବିରୋଧୀ ସମାଲୋଚନା କରୁଛନ୍ତି । ତେଣୁ ଗଡକରୀଙ୍କ ଏହି ଚିଠି ନିଶ୍ଚିତ ରୂପେ ବିରୋଧୀଙ୍କୁ ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ଖୋରାକ ଯୋଗାଇବ ।