Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କୈରାଝୁଲି ୟୁ ପି ସ୍କୁଲ ରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଭୁଶୁଡିବାରେ ଲାଗିଛି l ପ୍ରାପ୍ତ ସୂଚନା ଅନୁସାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୈରାଝୁଲି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ହୋଇ ବ୍ଲକ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିପାରିଛି l ଦୁଃଖର ବିଷୟ ବିଦ୍ୟାଳୟଟି ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରୁଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୈରାଝୁଲିକୁ ବାରମ୍ବାର ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛି l ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୪ଜଣ ଶିକ୍ଷକ ନିୟୋଜିତ ଅଛନ୍ତି l ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ବିଦ୍ୟାଳୟ ପାଇଁ ଜରୁରୀକାଳୀନ ଭିତ୍ତିରେ ଜଣେ ପୁରୁଷ ଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷୟିତ୍ରୀ ନିୟୋଜିତ କରିବାକୁ ବାରମ୍ବାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରାଯାଉଥିଲେ ହେଁ କୌଣସି ପ୍ରକାର ସମାଧାନ ହୋଇପାରୁନାହିଁ l ଉଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ପ୍ରାୟ ୩୫ଜଣ ଶିକ୍ଷକ ଡେପୁଟେସନରେ ଅନ୍ୟ ବିଦ୍ୟାଳୟ ମାନଙ୍କରେ ନିୟୋଜିତ ଅଛନ୍ତି l ହେଲେ ଉଦ୍ଦେଶ୍ୟମୂଳକ ଭାବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପଛରେ ପକେଇବା ପାଇଁ କିଛି ଅସାଧୁ କର୍ମଚାରୀ ବାରମ୍ବାର ଅପଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲେଖରାଜ ସାଗର ଏବଂ ମୋ ସ୍କୁଲ ଅଭିଯାନ ସଭାପତି କ୍ଷେତ୍ରବାସୀ ଜଗଦଲାଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା l ଏଣୁ ବାରମ୍ବାର ଦାବି କରି ନିରାଶ ହେବାପରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆସନ୍ତା କାଲିଠାରୁ ବିଦ୍ୟାଳୟରେ ତାଲା ପଡିବ ବୋଲି ପରିଚାଳନା କମିଟି ସଭାପତି ଘୋଷଣା କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ