ବୀରମହାରାଜପୁର : (ସୌମିତ୍ରି ମେହେର) କୋଶଲି-ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ ଯୁଗସ୍ରଷ୍ଟା ତଥା କାଳଜୟୀ କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ପଞ୍ଚାୟତ କଦଳୀପାଲି ଛକର ମୁକ୍ତମଞ୍ଚରେ ଖୁବ ଧୁମଧାମରେ ପାଳିତ ହୋଇଯାଇଛି । ଏକତା ଗ୍ରୁପ ଦ୍ୱାରା ଆୟୋଜିତ ଉତ୍ସବରେ ଭାଷା ସଂସ୍କୃତିପ୍ରେମୀ ବିଶିଷ୍ଟ ଅତିଥିମାନେ ଯୋଗଦେଇ କବି ସତ୍ୟନାରାୟଣ ବହିଦାରଙ୍କ ଭାଷାପ୍ରୀତି ଓ ସୃଜନ ଉପରେ ଆଲୋଚନା କରିବା ସହ ଶ୍ରଦ୍ଧାଞଳି ଅର୍ପଣ କରିଥିଲେ । ଯୁବ ନିର୍ଦ୍ଦେଶକ ତଥା ପ୍ରଯୋଜକ ପାଣିନୀ ପ୍ରାଜ୍ଞଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଶିକ୍ଷା ଓ ସଂସ୍କୃତି ପ୍ରେମୀ ତଥା ବିଧାୟକଙ୍କ ପ୍ରତିନିଧି ସନ୍ତୋଷ ଭୋଇ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡିଶାର ଶବ୍ଦକୋଷ , ଭାଷା -ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧିରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ମହାର୍ଘ ଅବଦାନ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବ କଳାକାରଙ୍କୁ ମା’ମାଟିର ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ସମର୍ପିତ ରହିବାକୁ ସେ’ ଆହ୍ୱାନ ଦେଇଥିଲେ । ଏ ଅବସରରେ ପାଣିନୀ ପ୍ରାଜ୍ଞଙ୍କ ନେତୃତ୍ୱରେ ଭାଷା ଭାବନାକୁ ଜାଗ୍ରତ କରି ରଖିବାକୁ ଉପସ୍ଥିତ ସଂସ୍କୃତିପ୍ରେମୀ କଳାକାର ଓ ଦର୍ଶକ ସମୂହ ସଂକଳ୍ପ ନେଇଥିଲେ । ସମ୍ବଲପୁରୀ ଦିନ ଭାବେ କବି ସତ୍ୟନାରାୟଣଙ୍କ ଜୟନ୍ତୀ ପାଳନ ଅବସରରେ କଳାହାଣ୍ଡି ଭବାନୀପାଟଣା , ସମ୍ବଲପୁର ଢାଳିଆ ଖୁସା ଓ ବୀରମହାରାଜପୁର ଅଞ୍ଚଳର ତେଲିପାଲି , ବଲିପାଲି ଓ ବଡ଼ମାଲର ନୃତ୍ୟ ଦଳ ସହ ପାୟୋନିୟର ସ୍କୁଲ ବୀରମହାରାଜପୁର ର ଶିଶୁଶିଳ୍ପୀଙ୍କ ଦ୍ୱାରା ଲୋକନୃତ୍ୟ ଓ ଲୋକଗୀତ ସବୁ ପ୍ରଦର୍ଶିତ ହୋଇଥିଲା । ବିଳମ୍ବିତ ରାତିଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶତାଧିକ ଦର୍ଶକ ଉପଭୋଗ କରିଥିଲେ । ଏକତା ଗ୍ରୁପ ପକ୍ଷରୁ ଆୟୋଜିତ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମରେ ଏକତା ଗ୍ରୁପର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।