ୱାଏନାଡ: ୱାଏନାଡର ଛାତିଥରା ଭୂସ୍ଖଳନ ପରେ ପଞ୍ଚମ ଦିନରେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଏବେ ବି ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଯବାନ ନିଜର ସାହାସ ଓ ଧୈର୍ଯ୍ୟ ହରାଇ ନାହାନ୍ତି । ଶୁକ୍ରବାର ମାଟି ତଳୁ ଅନେକ ଲୋକଙ୍କୁ ବଞ୍ଚିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଉନ୍ନତ ଜ୍ଞାନକୌଶଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏ ପର୍ଯ୍ୟନ୍ତ ୨୧୦ରୁ ଅଧିକ ମୃତଦେହ ମିଳି ସାରିଛି । ହସ୍ପିଟାଲରୁ ୧୮୭ ଜଣଙ୍କୁ ଡିସଚାର୍ଜ କରାଯାଇଛି ।
ୱାଏନାଡର ଗାଁରେ ଭୂସ୍ଖଳନ ପରେ ମାଟି ତଳୁ ଓ ନଦୀରେ ଅତ୍ୟାଧୁନିକ ଉପକରଣ ଓ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଇଛି । ବଡ ଭୂସ୍ଖଳନ ପରେ ବ୍ୟବସାୟୀ, ବିଶିଷ୍ଟ ବ୍ୟକ୍ତି ଓ ସଂସ୍ଥା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଦାନ ଦେଉଛନ୍ତି । କେରଳକୁ ସହାୟତା ଦେବା ପାଇଁ ଜନସାଧାରଣଙ୍କଠୁ ନେଇ ବିଭିନ୍ନ ସଂସ୍ଥା ଆଗେଇ ଆସିଛନ୍ତି ।
ସେନା ଦ୍ୱାରା ୧୯୦ ଫୁଟ ଲମ୍ବାର ବେଲି ବ୍ରିଜ ନିର୍ମାଣ ହେବା ପରେ ସର୍ଚ୍ଚ ଅପରେସନ ଅଭିଯାନ ଆହୁରି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଶୁକ୍ରବାର ଲୋକଙ୍କ ମୋବାଇଲ ଫୋନରୁ ପ୍ରାପ୍ତ ଲୋକେସନ ସମେତ ଜିପିଏସକୁ ଚିହ୍ନଟ କରି ଡ୍ରୋନର ବ୍ୟବହାର କରାଯାଇ ଲୋକଙ୍କ ସନ୍ଧାନ କରାଯାଉଛି । ଏହି ଡ୍ରୋନ ଭୂପୃଷ୍ଠରୁ ୧୨୦ ମିଟର ଉଚ୍ଚରେ ଉଡୁଛି ।
ଅଭିଯାନରେ ସାମିଲ ଜଣେ ଅଧିକାରୀ କହିଛନ୍ତି ଗୁରୁତର ପ୍ରଭାବିତ ମୁଣ୍ଡକ୍କଇ ଗାଁରେ ଅଭିଯାନକୁ ଜୋରଦାର କରାଯାଇଛି । କେରଳର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ସରକାରୀ ଭାବେ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଛି ଏବଂ ୨୭୩ ଆହତ ହୋଇଛନ୍ତି । ଏହା ବାଦ ୧୩୪ ମାନବ ଅଙ୍ଗ ମଧ୍ୟ ଉଦ୍ଧାର ହୋଇଛି ।