ଭୁବନେଶ୍ବର: ରାଜ୍ୟରେ ଭିଜିଲାନ୍ସ ବିଭାଗ ଆକ୍ଟିଭ ମୋଡରେ । ତ୍ରାହି ତ୍ରାହି ଡାକିଲେଣି ସରକାରୀ ବାବୁ । ଲୋକଙ୍କ ରକ୍ତ ଶୋଷି କଳାଧନର ପାହାଡ଼ରେ ବସିଥିବା ସରକାରୀ ବାବୁଙ୍କ ଭିତରେ ଖେଳିଯାଇଛି ଆତଙ୍କ । ଜଣଙ୍କ ପରେ ଜଣେ ପଡୁଛନ୍ତି ଭିଜିଲାନ୍ସ ଜାଲରେ । ଗତ ଦୁଇ ସପ୍ତାହ ମଧ୍ୟରେ ଦୁଇ ଜଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ବାନ୍ଧିବା ପରେ ଏବେ ଜଣେ ବିଡିଓ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ସକାଳୁ ଆରମ୍ଭ ହୋଇଯାଇଛି ଚଢ଼ାଉ । ଭିଜିଲାନ୍ସ ଟିମ୍ ସକାଳୁ ସକାଳୁ ବିଡିଓଙ୍କ ଘରେ ପଶିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଆରମ୍ଭ ହୋଇଛି ଚଢ଼ାଉ ।
ପ୍ରଦୀପଙ୍କ ପୈତୃକ ଘର, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍ କଚାଲିଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମନଗରସ୍ଥିତ ଶ୍ରୀ ଏନକ୍ଲେଭ୍ ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା, ରାଜ ସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ ଓ କ୍ୱାର୍ଟର୍ସରେ ରେଡ୍ କରାଯାଇଛି । ଚଢ଼ାଉରେ ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି ।
ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଛି । ୨୦୨୩ ମସିହା ଫେବ୍ରୁଆରୀ ୨୩ ତାରିଖରେ ପ୍ରଦୀପ ଆଠଗଡ଼ରେ ବିଡ଼ିଓ ଭାବେ ନିଯୁକ୍ତି ପାଇଥିଲେ । ଏହା ର୍ପୂବରୁ ସେ ନରସିଂହପୁରରେ କାର୍ଯ୍ୟରତ ଥିଲେ ।