ଭୁବନେଶ୍ବର: ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ଗଠନ କରିବା ପରେ ଆଇଏଏସ ସ୍ତରରେ ହୋଇଛି ବଡ଼ ଧରଣର ଅବଦଳ ବଦଳ । ଏହି କ୍ରମରେ ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି । ଦୀର୍ଘଦିନ ଧରି କୋଣଠେସା ହୋଇ ବୋର୍ଡ ଅଫ ରେଭନ୍ୟୁର ସଚିବ ପଦରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ଉପାଧ୍ୟାୟଙ୍କୁ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଛି ।
୨୨ଜଣ ଆଇଏଏସ ଅଫିସର ଓ ୩ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ ଜଣ ବରିଷ୍ଠ ଓଏଏସ୍ ଅଫିସର କବୀନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।
ଆସନ୍ତୁ ଜାଣିବା କାହାର ବଦଳି ହୋଇ କେଉଁ ଦାୟିତ୍ବ ମିଳିଲା
ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ କରାଯାଇଛି । ସେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିଲେ । କଟକ ମ୍ୟୁନିସପାଲଟି କମିଶନର ଥିବା ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ କରାଯାଇଛି । ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ କରାଯାଇଛି । ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଥିବା ପାରୁଲ ପଟୱାରୀଙ୍କୁ ରାୟଗଡ଼ା ଜିଲ୍ଲାପାଳ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ କନ୍ଧମାଳ ଜିଲ୍ଲାପାଳ କରାଯାଇଛି ।
ସେହିପରି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ସମ୍ବଲପୁର ଜିଲ୍ଲାପାଳ, ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ବି. ସିନ୍ଧେଙ୍କୁ କଟକ ଜିଲ୍ଲାପାଳ, ନୂଆପଡ଼ା ଜିଲ୍ଲାପାଳ ଥିବା ହେମକାନ୍ତ ସଏଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ କରାଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲଙ୍କୁ ମାଲକାନଗିରି ଜିଲ୍ଲାପାଳ, ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ବାଲେଶ୍ୱର ଜିଲ୍ଲାପାଳ କରାଯାଇଛି ।
ବୌଦ୍ଧ ଜିଲ୍ଲାପାଳ ଜେ.ସୋନାଲଙ୍କୁ ଜଗତସିଂହପୁର ଜିଲ୍ଲାପାଳ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାପାଳ ପାୱାର ସଚ୍ଚିନ ପ୍ରକାଶଙ୍କୁ କଳାହାଣ୍ଡି ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ, ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟାୟନ ମହାଜନଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ, ଓଏମସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କବୀନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି । ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ସେହିପରି ବୋର୍ଡ ଅଫ ରେଭନ୍ୟୁ ସଚିବ ବିଜୟ ଉପାଧ୍ୟାୟଙ୍କୁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ କଟକ ବୋର୍ଡ ଅଫ ରେଭନ୍ୟୁ ସଚିବ ଭାବେ ଦାୟିତ୍ବ ଦିଆଯାଇଛି । ନବରଙ୍ଗପୁର ଜିଲ୍ଲାପାଳ କମଳଲୋଚନ ମିଶ୍ରଙ୍କୁ ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲାପାଳ ନିଖିଳପୱନ କଲ୍ୟାଣଙ୍କୁ ରାଜ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି ।