ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ଡବଲ ମର୍ଡର


ଭୁବନେଶ୍ବର: ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ଡବଲ ମର୍ଡର । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ଡବଲ ମର୍ଡର ହୋଇଛି । ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ରଶ୍ମିରଂଜନ ସେଠୀ ଏବଂ ଜୁଲୁ ସେଠୀ ।

କଲ୍ୟାଣୀ ପ୍ଲାଜାରେ ନିକଟରେ ରଶ୍ମି ରଂଜନଙ୍କର ଏକ ଦୋକାନ ରହିଛି । ପ୍ରତିଦିନ ରଶ୍ମି ପ୍ଲାଜା ନିକଟରେ ନିଜ କାର୍‌ ରଖି ଦୋକାନ ଆସିଥାନ୍ତି । ହେଲେ କଲ୍ୟାଣୀ ପ୍ଲାଜାର ମେଣ୍ଟେନାସ୍ ଦାୟିତ୍ୱରେ ଥିବା ବାପି ଏହାକୁ ବିରୋଧ କରୁଥିଲେ । ଏହାକୁ ନେଇ ବିଭିନ୍ନ ସମୟରେ ବାପି ଓ ରଶ୍ମିଙ୍କ ମଧ୍ୟରେ ବଚସା ହୋଇଛି । ଗତକାଲି ମଧ୍ୟ ରଶ୍ମି ନିଜ କାରକୁ କଲ୍ୟାଣୀ ପ୍ଲାଜା ନିକଟରେ ପାର୍କିଂ କରିଥିଲେ । ଏହାଦେଖି ବାପି ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । ରଶ୍ମିଙ୍କ କାରକୁ ଗୋଇଠା ମାରିବା ସହ ଗାଡ଼ି ଏଠାରୁ କାଢ଼ିବାକୁ ସେ ରଶ୍ମିଙ୍କୁ କହିଥିଲେ ।

ଏହାକୁ ନେଇ ବାପି ଓ ରଶ୍ମିଙ୍କ ମଧ୍ୟରେ ବଚସା ହୋଇଥିଲା ଓ ରଶ୍ମି ବାପିଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏଥିରେ ବାପି଼ ଉତକ୍ଷିପ୍ତ ହୋଇ ୩ରୁ ୪ ଜଣ ସାଙ୍ଗକୁ ଫୋନ୍‌ କରି ଡାକିଥିଲେ । ବାପିଙ୍କ ସାଙ୍ଗମାନେ ମାରଣାସ୍ତ୍ରରେ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସେମାନେ ରଶ୍ମିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏହି ସମୟରେ ରଶ୍ମିଙ୍କ ସହଯୋଗୀ ଜୁଲୁ ଏହା ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ । ସେମାନେ ମଧ୍ୟ ଜୁଲୁଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ରଶ୍ମିଙ୍କର ମୃତ୍ୟୁ ଘଟିଥିବା ବେଳେ ଜୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜୁଲୁଙ୍କୁ ମୃତ ଘୋଷଣା କରିଥିଲେ । ଭୁବନେଶ୍ୱର ଡିସିପି ଗତକାଲି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛନ୍ତି । ହତ୍ୟାକାରୀଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।