ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଭାରତୀୟ ରେସଲର ଭିନେଶ ଫୋଗାଟଙ୍କୁ ମିଳିବ ରୌପ୍ୟ !


ନୂଆଦିଲ୍ଲୀ: ୫୦ କେଜି ରେସଲିଂ ବର୍ଗରେ ଫାଇନାଲ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇ ଭିନେଶ୍ ଫୋଗାଟଙ୍କ ସ୍ୱର୍ଣ୍ଣ ପଦକ ଜିତିବା ଆଶା ଚୁରମାର ହୋଇଯାଇଥିଲେ ବି ପଦକ ମିଳିବା ଆଶା ମଉଳିନି । ସେ ଏହି ବର୍ଗରେ ଯୁଗ୍ମ ରୌପ୍ୟ ପଦକ ଜିତି ପାରନ୍ତି । କାରଣ ଭିନେଶ ରୌପ୍ୟ ପଦକ ପାଇଁ ଆବେଦନ କରିଛନ୍ତି, ଯାହାର ଶୁଣାଣି ଆଜି ହେବ । ଯଦି ଭିନେଶଙ୍କ ସପକ୍ଷରେ ରାୟ ଯାଏ ତେବେ ତାଙ୍କୁ ଯୁଗ୍ମ ରୌପ୍ୟ ବିଜେତା ଘୋଷଣା କରାଯିବ ।

କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ଭିନେଶଙ୍କ ଯୁଗ୍ମ ରୌପ୍ୟ ପାଇଁ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି । ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ ୧ଟା ୩୦ ବେଳକୁ ଏହି ଶୁଣାଣି ଆରମ୍ଭ ହେବ ।

ଭାରତ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ କ୍ରୀଡ଼ା ଆଇନ ବିଶେଷଜ୍ଞ ବିଧୁସ୍ପତ ସିଂହାନିଆ ଏହି ଶୁଣାଣି ବେଳେ ଉପସ୍ଥିତ ରହିବେ । ସେହିପରି ପ୍ୟାରିସ ପଟୁ ୪ ଜଣ ଓକିଲ ଉପସ୍ଥିତ ରହିବେ ।

ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେଶ ତିନୋଟି ମୁକାବିଲା ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ । ଗତ ୭ ତାରିଖରେ ସେ ଫାଇନାଲ ମ୍ୟାଚ୍‌ ଖେଳିଥାନ୍ତେ । କିନ୍ତୁ ଏହା ପୂର୍ବରୁ ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ଥିବା ଲାଗି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ମାତ୍ର ୧୦୦ ଗ୍ରାମ୍‌ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଥିଲା । ଏପରି ଅପ୍ରତ୍ୟାଶିତ ଘଟଣା ତାଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ତାଙ୍କ ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଚୁରମାର ହୋଇ ଯାଇଥିଲା । କିଛି ବୁଝିବା ପୂର୍ବରୁ ଫୋଗାଟଙ୍କ ହାତମୁଠାରେ ଥିବା ଅଲିମ୍ପିକ୍ସ ପଦକ ଅଚାନକ ଖସି ଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା ।