Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ, ୧୬ ମାସ ପରେ ଜେଲରୁ ବାହାରିବେ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶେଷରେ ଜାମିନ ମିଳିଛି । ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କୁ ଇଡି ଓ ସିବିଆଇ ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ୧୭ ମାସ ପରେ ସିସୋଦିଆ ଜେଲରୁ ମୁକୁଳିବେ । ସୁପ୍ରିମକୋର୍ଟ ଟ୍ରାଏଲରେ ବିଳମ୍ବ ଯୋଗୁଁ ତାଙ୍କୁ ଏହି ଆଶ୍ୱସ୍ତି ଦେଇଛନ୍ତି । ଆମ୍ ଆଦମୀ ପାର୍ଟିର ଏହି ବରିଷ୍ଠ ନେତାଙ୍କୁ ଗତ ବର୍ଷ ଫେବୃଆରୀ ୨୬ରେ ଗିରଫ କରାଯାଇଥିଲା । ତେବେଠୁ ସେ ତିହାର ଜେଲରେ ଥିଲେ ।

ଜଷ୍ଟିସ ବିଆର ଗବଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ପୀଠ ସିସୋଦିଆଙ୍କୁ ୧୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଜାମିନ ପ୍ରଦାନ କରିଛନ୍ତି । ପୀଠ କହିଛନ୍ତି, ସିସୋଦିଆଙ୍କ ଆବେଦନକୁ ସ୍ୱୀକାର କରାଯାଉଛି । ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରାଯାଉଛି । ତେଣୁ ସିସୋଦିଆଙ୍କୁ ଇଡି ଓ ସିବିଆଇ ମାମଲାରେ ଜାମିନ ପ୍ରଦାନ କରାଯାଉଛି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସିସୋଦିଆ ତ୍ୱରିତ ଶୁଣାଣିର ଅଧିକାରରୁ ବଞ୍ଚିତ ହୋଇଛନ୍ତି । ନିକଟରେ ଜାଭେଦ ଗୁଲାମ ନବି ଶେଖଙ୍କ କେସରେ ଆମେ ଏହି ପକ୍ଷ ଉପରେ ବିଚାର କରିଥିଲୁ ଏବଂ କହିଥିଲୁ ଯେବେ କୋର୍ଟ, ରାଜ୍ୟ କିମ୍ବା ଏଜେନ୍ସି ସ୍ପିଡ ଟ୍ରାଏଲର ଅଧିକାରକୁ ରକ୍ଷା କରି ପାରୁ ନାହାନ୍ତି ସେଠି ଜାମିନକୁ ବିରୋଧ କରି ଏହା କୁହାଯାଇ ପାରିବ ନାହିଁ ଯେ, ଅପରାଧ ଗମ୍ଭୀର ଅଟେ । ଅପରାଧର ପ୍ରକୃତି ଯାହା ବି ହେଉ ସେଠି ଧାରା ୨୧ ଲାଗୁ ହେଉଛି ।

କୋର୍ଟ କହିଛନ୍ତି, ସିସୋଦିଆଙ୍କ ମୂଳ ସମାଜ ସହ ଜଡିତ ରହିଛି । ଏଥିପାଇଁ ସେ ପଳାୟନ କରି ପାରିବେ ନାହିଁ । ପ୍ରମାଣ ସବୁ ମିଳି ସାରିଛି ଏବଂ ଏହାକୁ ସିସୋଦିଆ ଆଉ ନଷ୍ଟ କରି ପାରିବେ ନାହିଁ । କୋର୍ଟ ଯାଞ୍ଚ ଏଜେନ୍ସିଙ୍କ ଏହି ଯୁକ୍ତିକୁ ମଧ୍ୟ ଖାରଜ କରିଛନ୍ତି, ଯେଉଁଥିରେ ଏଜେନ୍ସି କହିଥିଲା ଯେ, ଶୁଣାଣିରେ ବିଳମ୍ବର କାରଣ ନିଜେ ସିସୋଦିଆ । କୋର୍ଟ ଏହା ମଧ୍ୟ କହିଛନ୍ତି, ଶୁଣାଣିରେ ବିଳମ୍ବ ମାମଲାରେ ନିମ୍ନ ଅଦାଲତଙ୍କ ଉଦାରତାରେ ଜାମିନ ଉପରେ ବିଚାର କରାଯିବା ଉଚିତ ।

ସିସୋଦିଆଙ୍କ ଜାମିନ ଉପରେ ଖୁସି ବ୍ୟକ୍ତ କରି ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି, ସତ୍ୟର ବିଜୟ ହୋଇଛି । ମୁଁ ପୂର୍ବରୁ କହିଥିଲି ଏହି ମାମଲାରେ ସତ୍ୟତା ନାହିଁ । ବଳପୂର୍ବକ ଆମ ନେତାଙ୍କୁ ଜେଲରେ ରଖା ଯାଇଥିଲା । କଣ ପ୍ରଧାନମନ୍ତ୍ରୀ ସିସୋଦିଆଙ୍କ ସେହି ୧୭ ମାସର ହିସାବ ଦେଇ ପାରିବେ । ଏହି ସମୟ ସ୍କୁଲ ନିର୍ମାଣର କାମରେ ଆସିଥାନ୍ତା । ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟକୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି । ଦୀର୍ଘ ସମୟ ଅପେକ୍ଷା ପରେ ନ୍ୟାୟ ମିଳିଛି । ମୁଁ ଆଶା କରୁଛି ଖୁବ୍ ଶୀଘ୍ର ଅରବିନ୍ଦ କେଜରିୱାଲ ଓ ସତ୍ୟନ୍ଦ୍ର ଜୈନ ମଧ୍ୟ ଜେଲରୁ ବାହାରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ