୨୫ ହଜାର ଲାଞ୍ଚ ନେବା ବେଳେ ଯନ୍ତ୍ରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ


ଜଗତସିଂହପୁର: ଭିଜିଲାନ୍ସ ଫାସରେ ପଡ଼ିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ । ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲେ ଭିଜିଲାନ୍ସ ଟିମ୍ ସଦସ୍ୟ ।
ଜାମୁଗାଁ ପଞ୍ଚାୟତର ଜଳସରପଡ଼ା ଅଞ୍ଚଳରେ ହୋଇଥିବା ଏକ ଶ୍ମଶାନ କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କାର ବିଲ୍ କରି ଦେବାକୁ ସେ ଠିକାଦାର ପ୍ରତାପ ଚନ୍ଦ୍ର କାଣ୍ଡିଙ୍କୁ ଲାଞ୍ଚ ମାଗିଥିଲେ । ଏନେଇ ପ୍ରତାପ ଭିଜିଲାନ୍ସକୁ ଜଣାଇଥିଲେ । ଆଜି ନିଜ ସହଯୋଗୀ ବାପିନା ଦାସଙ୍କ ସହାୟତାରେ କନିଷ୍ଠ ଯନ୍ତ୍ରୀ ସ୍ମତି ରଞ୍ଜନ ନାୟକ ଲାଞ୍ଚ ବାବଦକୁ ୨୫ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କ ଅଫିସରେ ଯାଞ୍ଚ କରୁଛି ।
ଏହି କିଛି ଦିନ ମଧ୍ୟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବଡ଼ ବଡ଼ ପଦବୀରେ ଅବସ୍ଥାପିତ କେତେ ଜଣ ଯନ୍ତ୍ରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କାହା ପାଖରୁ ୫୦ଟି ପ୍ଲଟ ଠାବ ହୋଇଛି ତ ଆଉ କାହାଠାରୁ ୧୦୦ରୁ ଅଧିକ ପ୍ଲଟ ଠାବ ହୋଇଛି । ଏହି ଯନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ଓବିସିସିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ । ତାଙ୍କର ୨ଟି ବହୁତଳ କୋଠା, ୩ଟି ଫ୍ଲାଟ୍, ୫୦ଟି ପ୍ଲଟ, ୨ କୋଟି ଟଙ୍କାର ଜମା, କ୍ରସର ୟୁନିଟ୍, ୨ଟି ଜେସିବି ଓ ମେଡିସିନ୍ ଷ୍ଟୋର ଆଦି ରହିଛି। ତାଙ୍କ ଘରୁ ୧ କେଜିର ସୁନା ଗହଣା ମିଳିଥିଲା ।
ସେହିପରି ଅନ୍ୟ ଜଣେ ଯନ୍ତ୍ରୀ ହେଉଛନ୍ତି ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ତାଙ୍କର ଓଡ଼ିଶା ଓ ପଶ୍ଚିମବଙ୍ଗରେ ମିଶି ୧୦୫ଟି ପ୍ଲଟ ଠାବ କରାଯାଇଛି । ଏହାସହ ତାଙ୍କର ଗୋଟିଏ ୫ ମହଲା କୋଠା, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ୭୮ ଲକ୍ଷରୁ ଅଧିକ ଟଙ୍କାର ଜମା ଆଦି ରହିଛି । ତାଙ୍କ ଘରୁ ୩୩୫ ଗ୍ରାମ ସୁନା ଗହଣା ସହିତ ୧୧.୭ ଲକ୍ଷ ଟଙ୍କା ଜବତ କରାଯାଇଛି ।