ନୂଆଦିଲ୍ଲୀ: ହିଣ୍ଡନବର୍ଗ ରିସର୍ଚ୍ଚର ଚାଞ୍ଚଲ୍ୟକର ରିପୋର୍ଟରେ ସେବିର ଚେୟାରମ୍ୟାନ ମାଧବି ପୁରୀ ବୁଚ ଓ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଯାଇଛି । କିନ୍ତୁ ସେବି ଚେୟାରମ୍ୟାନ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ହିଣ୍ଡନବର୍ଗ ତାଙ୍କ ଚରିତ୍ର ଉପରେ ଆଞ୍ଚ ଆଣିବାକୁ ଉଦ୍ୟମ କରିଛି । ବିରୋଧୀ ଏହି ମାମଲାକୁ ନେଇ ସରକାରଙ୍କୁ ଘେରିଛନ୍ତି । ବିରୋଧୀ ମାଧବୀ ପୁରୀ ଓ ତାଙ୍କ ପତିଙ୍କ ବିରୋଧରେ ତୁରନ୍ତ ତଦନ୍ତ ଆଦେଶ ଦେବାକୁ ଦାବି କରିଛନ୍ତି ।
କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଶନିବାର ରାତିରେ ବୟାନ ଜାରି କରି କହିଛନ୍ତି, ଦୀର୍ଘ ସମୟରୁ ସେବି ଆଦାନୀ ମହାଘୋଟାଲାର ଯାଞ୍ଚ କରିବାକୁ କୁଣ୍ଠାବୋଧ ପ୍ରକାଶ କରି ଆସୁଛି । ଯୁଗ୍ମ ସଂସଦୀୟ କମିଟିକୁ ମଧ୍ୟ ଏହାର ଯାଞ୍ଚ କରିବାକୁ ଦାବି କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଏକ ବିଶେଷଜ୍ଞ କମିଟି ମାମଲା ଉପରେ ପଚାରି ବୁଝିଥିଲେ । କମିଟି ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ସେବି ୨୦୧୮ରେ ବିଦେଶୀ ଫଣ୍ଡର ଅନ୍ତିମ ଲାଭକାରୀଙ୍କ ସଂପର୍କିତ ଖବର ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । କିନ୍ତୁ ୨୦୧୯ରେ ଏହାକୁ ସଂପୂର୍ଣ୍ଣ ଭାବେ ହଟାଇ ଦିଆଗଲା । କମିଟି ଅନୁସାରେ ଏମିତି ହେଲେ ବଜାରର ଗତିବିଧି ଉପରେ ସନ୍ଦେହ ସୃଷ୍ଟି ହେବ । ସେବି କିଭଳି ମାମଲାର ଫଳାଫଳ ପର୍ଯ୍ୟନ୍ତ ପହଞ୍ଚି ପାରିଲାନି ତାହା ମଧ୍ୟ ବଡ ପ୍ରଶ୍ନ ବୋଲି ଜୟରାମ ରମେଶ କହିଛନ୍ତି ।
ଋମେଶ କହିଛନ୍ତି, ଜନତାଙ୍କ ଚାପରେ ଆଦାନୀଙ୍କ କମ୍ପାନୀର ବହୁତ କ୍ଷତି ହେବା ପରେ ସେବି ବୋର୍ଡ ୨୦୨୩ ଜୁନ ୨୮ରେ ରିପୋର୍ଟିଂକୁ ନେଇ କଡାକଡି ନିୟମ ଲାଗୁ କରିଥିଲେ । ହିଣ୍ଡନବର୍ଗର ରିପୋର୍ଟରୁ ଜଣା ପଡୁଛି ସେବିର ଚେୟାରମ୍ୟାନ ମାଧବୀ ପୁରୀ ଓ ତାଙ୍କ ପତି ଆଦାନୀଙ୍କୁ ବଞ୍ଚାଇବା ପାଇଁ କରିଛନ୍ତି । ୨୦୨୨ରେ ମାଧବୀ ପୁରୀ ବୁଚ ଓ ଗୌତମ ଆଦାନୀଙ୍କ ମଧ୍ୟରେ ଲଗାତାର ବୈଠକ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ସେହି ସମୟରେ ସେବି ଆଦାନୀଙ୍କ ନେଣଦେଣ ଉପରେ ଯାଞ୍ଚ କରୁଥିଲା । ତେଣୁ ଏହି ମାମଲାରେ ଜେପିସି ତଦନ୍ତ କରାଯାଉ ବୋଲି ଜୟରାମ ରମେଶ ଦାବି କରିଛନ୍ତି ।