Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମମତା ମହାନ୍ତଙ୍କ ରାସ୍ତାରେ ସୁଜିତ କୁମାର ! ବଢିବ ବିଜେଡିର ଚିନ୍ତା

ଭୁବନେଶ୍ଵର: ମମତା ମହାନ୍ତଙ୍କ ପରେ ବିଜେଡି ସାଂସଦ ସୁଜିତ କୁମାରଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ । ଓଡ଼ିଶାକୁ ୧୫ ହଜାର କୋଟିର ରେଳ ପ୍ରକଳ୍ପ ମିଳିବା ପ୍ରସଙ୍ଗକୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବା ବେଳେ ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରଶଂସା ବିଜେଡିର ଚିନ୍ତାକୁ ବଢାଇ ଦେଇଛି । ସୋସିଆଲ ମିଡିଆରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି ସୁଜିତ୍ କୁମାର । ଏହାକୁ ନେଇ ଦଳ ଆଉ ସାଂସଦଙ୍କ ଭିନ୍ନ ମତ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । କାରଣ କିଛି ଦିନ ପୂର୍ବରୁ ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ସାଂସଦ ପଦ ଓ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ମମତାଙ୍କ ପରେ ସୁଜିତ୍ କୁମାର କ’ଣ ଏହି ଧାଡିରେ ଅଛନ୍ତି କି ବୋଲି ଆକଳନ କଲେଣି ରାଜନୀତି ସମୀକ୍ଷକ । ଏବେ ସୁଜିତଙ୍କୁ ନେଇ ଚିନ୍ତାରେ ବିଜେଡି ଥିବା କୁହାଯାଉଛି ।

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଟବଙ୍କୁ ଧନ୍ୟବାଦ ଦେବା ସହ ସୁଜିତ୍ ଲେଖିଛନ୍ତି ଯେ, ଜୁନାଗଡ- ନବରଙ୍ଗପୁର ନୂଆ ରେଳ ଲାଇନ ସହ ଅନ୍ୟ ୫ ପ୍ରକଳ୍ପ ମଂଜୁର କରିଥିବାରୁ କେନ୍ଦ୍ର କ୍ୟାବିନେଟ ଏବଂ ରେଳ ମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ । ମୁଁ ୨୦୨୧ ରୁ ଏହି ପ୍ରକଳ୍ପ ଲାଗି ସବୁବେଳେ ବିଭିନ୍ନ ଫୋରମରେ ସ୍ବର ଉତ୍ତୋଳନ କରି ଆସୁଥିଲି । ଆଶା କରୁଛି ଏହି ପ୍ରକଳ୍ପ ଠିକ ସମୟରେ ସରିବା ସହ କଳାହାଣ୍ଡି ଏବଂ ନବରଙ୍ଗପୁର ସହ ପୂରା ଅଞ୍ଚଳର ଲୋକଙ୍କ ସେବାରେ ଆସିବ ।

ତେବେ ଦଳ ଭିନ୍ନ ମତ ରଖୁଥିବାବେଳେ ବିଜେଡି ସାଂସଦ ସୁଜିତ କୁମାର ଖୋଲାଖୋଲି ଏହାକୁ ପ୍ରଶଂସା କରିବା ପଛରେ ରାଜନୈତିକ ସମୀକ୍ଷକ ଭିନ୍ନ ମତ ରଖିଛନ୍ତି । ସେମାନଙ୍କ କହିବା କଥା ସୁଜିତ କୁମାର ବିଜେଡି ସାଂସଦ ମମତା ମହାନ୍ତଙ୍କ ରାସ୍ତାରେ ଯାଇ ପାରନ୍ତି। ମମତାଙ୍କ ପରି ସେ ମଧ୍ୟ ବିଜେପିରେ ସାମିଲ ହୋଇ ପାରନ୍ତି। ନେତା ଦଳ ବଦଳ ପୂର୍ବରୁ ଏମିତି ହିଁ ସଙ୍କେତ ଦେଇଥାନ୍ତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ନିକଟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ବିଜେପି ମଧ୍ୟ ତାଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇ ଅନ୍ୟ ବିଜେଡି ସାଂସଦଙ୍କ ଲାଗି ବାଟ ଦେଖାଇ ପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏତିକିବେଳେ ସୁଜିତ କୁମାର ଦଳ ଠାରୁ ଭିନ୍ନ ମତ ପୋଷଣ କରିବା ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ବିଜେପି କହିଛି ଓଡ଼ିଶାବାସୀ ବିଜେପି ଆଡ଼କୁ ଢ଼ଳି ସାରିଛନ୍ତି । ଦଳର ୨୧ ରୁ ୨୦ ସାଂସଦ ଜିତିବା ଏ କଥାକୁ ସ୍ପଷ୍ଟ କରିଛି । ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ଲୋକସଭାରେ ଶୂନ୍ ହୋଇଯାଇଛି । ବିଜେଡିର କିଛି ସାଂସଦ ଆଉ କିଛି କାର୍ଯ୍ୟକର୍ତ୍ତା ଓଡ଼ିଶାବାସୀଙ୍କ ସହ ରହିବାକୁ ଚାହୁଁଛନ୍ତି । ସେମାନେ ଯଦି ବିଜେପିକୁ ଆସିବାକୁ ଚାହୁଁଛନ୍ତି ତାହେଲେ ବିଜେପି ସେମାନଙ୍କୁ ସ୍ଵାଗତ କରିବ। ଜବାବରେ ବିଜେଡି କହିଛି କେନ୍ଦ୍ର ପ୍ରକଳ୍ପକୁ ପ୍ରଶଂସା କରିବା ବିଜେଡି ଏମପି ସୁଜିତ୍ କୁମାରଙ୍କ ବ୍ୟକ୍ତିଗତ ମତ । ପ୍ରଶଂସା କରିବା ଅର୍ଥ ନୁହେଁ ବିଜେପି ଆଡକୁ ଢଳିବା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ