ବିଲରେ କାମ କରୁଥିବା ବେଳେ ବଜ୍ରପାତ; ମହିଳା ମୃତ, ୭ ଗୁରୁତର


ପୁରୀ: ସକାଳୁ ସକାଳୁ ପୁରୀ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ୍ୟୁବରଣ କରିଥିବା ମହିଳା ଜଣଙ୍କ ହେଲେ କୁମ୍ପି ଭୋଇ । ତାଙ୍କ ଘର ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଁ ଗ୍ରାମରେ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ମହିଳାମାନେ କ୍ଷେତରେ ଧାନ ରୋଉ ଥିଲେ । ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ୮ ଜଣ ମହିଳା ବିଲରେ ଅଚେତ ହୋଇ ପଡ଼ିଯାଇଥିଲେ । ଆଖପାଖରେ ଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର କୁମ୍ପିଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୭ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
କୁମ୍ପିଙ୍କ ମୃତ୍ୟୁ ପରେ ତାଙ୍କ ଗାଁ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅଭାବୀ ଘରର ମହିଳା ଜଣଙ୍କ ଏପରି ମୃତ୍ୟୁରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।